Categories: ଖେଳ

ଗଣେଶଙ୍କ ଏଭରେଷ୍ଟ ମାରାଥନକୁ ୧୦ ବର୍ଷ

ଭୁବନେଶ୍ବର, ୨୯ା୫ (କ୍ରୀଡ଼ା ପ୍ରତିନିଧି): ଆଜକୁ ୭୦ ବର୍ଷ ତଳେ ମେ’ ୨୯, ୧୯୫୩ରେ ସାର ଏଡମଣ୍ଡ୍‌ ହିଲାରି ଏବଂ ତେନଜିଂ ନର୍ଗେ ପ୍ରଥମ ଥର ପାଇଁ ମାଉଣ୍ଟ୍‌ ଏଭେରେଷ୍ଟ୍‌ ଆରୋହଣ କରି ଦୁଃସାହସିକ ପର୍ବତାରୋହଣର ଶୀର୍ଷ ସଫଳତା ପାଇଥିଲେ। ତେନଜିଂ ନର୍ଗେଙ୍କର ୨୦୦୮ ମସିହାରେ ପରଲୋକ ଘଟିଥିଲେ ମଧ୍ୟ ଏହି ଦିନଟିକୁ ଅନ୍ତର୍ଜାତୀୟ ଏଭେରେଷ୍ଟ୍‌ ଦିବସ ଭାବେ ପାଳନ କରାଯାଇ ଆସୁଛି। ଏହି ଅବସରରେ ରାଜ୍ୟର ପ୍ରଥମ ପୁରୁଷ ଏଭେରେଷ୍ଟ୍‌ ବିଜେତା ଗଣେଶ ଚନ୍ଦ୍ର ଜେନା ସମସ୍ତ ଏଭେରେଷ୍ଟ୍‌ ବିଜେତା, ଦୁଃସାହସିକ କ୍ରୀଡ଼ାବିତ୍‌ ଓ ଯୁବ ପର୍ବାତରୋହୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଗଣେଶ ମଧ୍ୟ ଚଳିତ ବର୍ଷ ନିଜର ଏଭେରେଷ୍ଟ୍‌ ବିଜୟ (ମେ’୧୮)ର ଦ୍ବାଦଶ ବାର୍ଷିକୀ ଏବଂ ଏଭେରେଷ୍ଟ ମାରାଥନ (ମେ’ ୨୯)ର୍‌ ହେବାର ଦଶମ ବାର୍ଷିକୀ ପାଳନ କରିଛନ୍ତି। ୨୦୧୧ରେ ସେ ଏଭେରେଷ୍ଟ୍‌ ଆରୋହଣ କରିଥିବା ବେଳେ ୨୦୧୩ରେ ଏକମାତ୍ର ଭାରତୀୟ ଭାବେ ଏଭେରେଷ୍ଟ୍‌ ମାରାଥନ୍‌ରେ ଭାଗ ନେଇଥିଲେ। ଅଦ୍ୟାବଧି ଗଣେଶ ଏକମାତ୍ର ଭାରତୀୟ ଭାବେ ଏଭରେଷ୍ଟ୍‌ ମାରାଥନର୍‌ ହେବାର ଗୌରବ ବହନ କରିଛନ୍ତି। ସୂଚନାଯୋଗ୍ୟ, ୨୦୧୯ରେ ଏଭେରେଷ୍ଟ୍‌ ବାଲକୋନିରେ ପ୍ରାଣ ହରାଇଥିବା କଳ୍ପନା ଦାଶ ଦୁଇ ଥର ଏଭେରେଷ୍ଟ ଅରୋହଣ କରିଛନ୍ତି। କଳ୍ପନା ଓ ଗଣେଶଙ୍କ ବାଦ୍‌ ଓଡ଼ିଶାର ଦେବୀଦତ୍ତ ପଣ୍ଡା, ଯୋଗବ୍ୟାସ ଭୋଇ, ଚେତନା ସାହୁ, ସ୍ବର୍ଣ୍ଣଲତା ଦଳାଇ, ସିଦ୍ଧାର୍ଥ ରାଉତରାୟ, ସ୍ବର୍ଗତ ପ୍ରଦୀପ ସାହୁ ଏହି ବିରଳ ଏଭେରେଷ୍ଟ୍‌ ଆରୋହଣ କ୍ଲବର ସଦସ୍ୟ ରହିଛନ୍ତି।

Share