Categories: ବାଣିଜ୍ୟ

ଭାଙ୍ଗିଲା ୧୦ ବର୍ଷ ତଳର କାରବାର ରେକର୍ଡ

ନୂଆଦିଲ୍ଲୀ,୬।୧୧: ଚଳିତ ବର୍ଷ ଦୀପାବଳିରେ କାରବାର ରେକର୍ଡ ସ୍ତର ଛୁଇଁଛି। ଲୋକମାନଙ୍କର କ୍ରୟ ଉନ୍ନତ ସ୍ଥିତିରେ ରହିବା ଯୋଗୁ ଦେଶ ମଧ୍ୟରେ କାରବାର ୧.୨୫ ଲକ୍ଷ କୋଟି ଟଙ୍କା ରହିଥିବା ସର୍ବଭାରତୀୟ ବ୍ୟବସାୟୀ ମହାସଂଘ(ସିଏଆଇଟି) ପକ୍ଷରୁ ଶୁକ୍ରବାର ସୂଚନା ରହିଛି। କାରବାର ଗତ ୧୦ ବର୍ଷ ମଧ୍ୟରେ ରେକର୍ଡ ବୋଲି ଜଣାପଡିଛି। ଗତ ୨ ବର୍ଷ ହେବ କରୋନା ମହାମାରୀ ଯୋଗୁ ବଜାରରେ ମାନ୍ଦାବସ୍ଥା ଲାଗି ରହିଥିଲା। ମାତ୍ର ଚଳିତ ବର୍ଷ ଲୋକମାନେ କିଣାକିଣି କରିଛନ୍ତି। ଏହି ଧାରାକୁ ଦେଖିଲେ ବଜାର ବର୍ତ୍ତମାନ ସୁଧାର ସ୍ଥିତିକୁ ଫେରିଥିବା ସଂଘ ପକ୍ଷରୁ କୁହାଯାଇଛି। ଏଭଳି ଧାରା ଲାଗି ରହିଲେ ଦେଶର ବାଣିଜି୍ୟକ ଗୋଷ୍ଠୀ ପାଇଁ ଶୁଭମୟ ବୋଲି ସଂଘ ପକ୍ଷରୁ ମତ ପ୍ରକାଶ ପାଇଛି।
ଦୀପାବଳି କାରବାରରୁ ଉତ୍ସାହିତ ହୋଇ ବ୍ୟବସାୟୀମାନେ ବର୍ତ୍ତମାନ ପାର୍ବଣ ସମୟ କାରବାର ଲାଗି ସଜବାଜ ହେଉଛନ୍ତି ବୋଲି ସିଏଆଇଟିର ଜାତୀୟ ସଭାପତି ବି.ସି.ଭାରତୀୟା କହିଛନ୍ତି। ନୂଆଦିଲ୍ଲୀରେ କେବଳ ୨୫ ହଜାର କୋଟି ଟଙ୍କାର କାରବାର ହୋଇଥିବା ଜଣାପଡିଛି। ଚାଇନା ସାମଗ୍ରୀ ବର୍ଜନ କରିବାକୁ ବ୍ୟବସାୟୀ ମାନେ ଡାକରା ଦେଇଥିଲେ। ଫଳରେ ଚାଇନାରୁ ଆସିବାକୁ ଥିବା ପ୍ରାୟ ୫୦ ହଜାର କୋଟି ଟଙ୍କାର ସାମଗ୍ରୀ ଭାରତରେ ପ୍ରବେଶ କରିପାରିନାହିଁ। ଏହାଦ୍ୱାରା ଚାଇନାକୁ ଝଟକା ଲାଗିଛି ବୋଲି କୁହାଯାଉଛି।

Share