ଦୀପାବଳିରେ ଅଘଟଣ! ପେଟରେ ପଶିଗଲା ରକେଟ୍‌ ବାଣ, ତାପରେ….

ନୂଆଦିଲ୍ଲୀ,୯।୧୧: ଦୀପାବଳିର ଖୁସି ଦିଲ୍ଲୀର ଅନେକ ପରିବାର ପାଇଁ ଦୁଃଖରେ ପରିଣତ ହୋଇଛି । ନରେଲା ଅଞ୍ଚଳରେ ବାଣ ଫୁଟାଇବା ସମୟରେ ରକେଟ୍‌ ମାଡ଼ରେ ଜଣେ ୧୦ ବର୍ଷର ଶିଶୁର ମୃତ୍ୟୁ ହୋଇଛି । ଶିଶୁର ମୃତ୍ୟୁ ପରେ ପରିବାର ଲୋକେ ହସ୍ପିଟାଲ୍‌ ପ୍ରଶାସନ ଉପରେ ଚିକିତ୍ସାରେ ଅବହେଳା ଅଭିଯୋଗ ଆଣି ହୋହଲ୍ଲା କରିଛନ୍ତି।

ନରେଲା ଥାନା ଅନ୍ତର୍ଗତ ରାଜୀବ କଲୋନୀରେ ରବିବାର ରାତିରେ ଏହି ଦୁଃଖଦ ଘଟଣା ଘଟିଛି । ପରିବାରରେ ପୂଜାପାଠ ପରେ ଆତସବାଜି ଚାଲିଥିଲା। ଏହି ସମୟରେ ୧୦ ବର୍ଷର ଶିଶୁଟି ମଧ୍ୟ ବାଣ ଫୁଟାଉଥିଲା। ପରିବାର ଲୋକଙ୍କ କହିବା ଅନୁସାରେ, ଶିଶୁଟି ରକେଟ୍‌ ଫୁଟାଉଥିବା ବେଳେ ଏହାର ଦିଗ ବଦଳି ତା’ ପେଟରେ ଆଘାତ କରିଥିଲା। ତେବେ ପୋଲିସର ପ୍ରାଥମିକ ସୂଚନା ଅନୁସାରେ, ଶିଶୁର ହାତରେ ବାଣ ଫୁଟିଥିବା କଥା ମଧ୍ୟ ସାମ୍ନାକୁ ଆସିଥିଲା।

ଘଟଣା ପରେ ପରିବାର ଲୋକେ ତୁରନ୍ତ ଶିଶୁଟିକୁ ରାଜା ହରିଶ୍ଚନ୍ଦ୍ର ହସ୍ପିଟାଲ୍‌କୁ ନେଇଥିଲେ। ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ଶିଶୁର ମୃତ୍ୟୁ ଖବର ପରେ ପରିବାରରେ କାନ୍ଦବୋବାଳି ପଡ଼ିଥିଲା। ହସ୍ପିଟାଲ୍‌ରେ ଠିକ୍‌ ସମୟରେ ଉପଯୁକ୍ତ ଚିକିତ୍ସା ମିଳିନଥିବା ଅଭିଯୋଗ କରି ପରିବାର ଲୋକେ ହୋହଲ୍ଲା କରିଥିଲେ। ଏପରିକି ଶିଶୁର ମୃତ୍ୟୁ ଖବର ଶୁଣି ତାଙ୍କ ବାପାଙ୍କ ସ୍ୱାସ୍ଥ୍ୟ ମଧ୍ୟ ବିଗିଡ଼ି ଯାଇଥିବା ଜଣାପଡ଼ିଛି। ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି । ଏହି ଘଟଣା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

 

Dharitri – Odisha’s No.1 Odia Daily

 

Share