Categories: ଜାତୀୟ

ଏମ୍‌ପି ସରକାରଙ୍କ ବିରୋଧରେ ୧୦ ହଜାର କୋଟିର ମାମଲା

ଇନ୍ଦୋର,୫।୧: ମଧ୍ୟପ୍ରଦେଶର ପଟଲମ୍‌ ଅଞ୍ଚଳର ଜଣେ ଆଦିବାସୀଙ୍କୁ ମିଛ ଅଭିଯୋଗରେ ୬୬୬ ଦିନ ଜେଲରେ ରଖାଯାଇଥିଲା। ଗତବର୍ଷ ଅକ୍ଟୋବରରେ ତାଙ୍କୁ ଗଣବଳାତ୍କାର ମାମଲାରେ ଦୋଷମୁକ୍ତ କରାଯାଇଥିଲା। ଏହି ବ୍ୟକ୍ତି ଜଣକ ବିନା ଦୋଷରେ ଜେଲ ଯାଇଥିବାରୁ ମଧ୍ୟପ୍ରଦେଶ ସରକାର ତାଙ୍କୁ ୧୦,୦୦୬ କୋଟି ଟଙ୍କା କ୍ଷତିପୂରଣ ଦିଅନ୍ତୁ ବୋଲି ସେ ଦାବି କରି ମାନହାନି ମାମଲା ଦାଏର କରିଛନ୍ତି। ଆବେଦନକାରୀ କନ୍ତୁ ଓରଫ କାନ୍ତିଲାଲ ଭିଲ୍‌ (୩୫)ଙ୍କୁ ଯୌନ ସୁଖରୁ ବଞ୍ଚତ୍ତ କରାଯାଇଥିବାରୁ ସେ ଏତେ ପରିମାଣରେ ଅର୍ଥରାଶି ଦାବି କରିଛନ୍ତି।

ଏବେ ବି ସେ ଜେଲ ସମୟର ଯନ୍ତ୍ରଣାକୁ ଭୁଲିପାରି ନାହାନ୍ତି। ଏହା ତାଙ୍କର ସଂସାରକୁ ଓଲଟପାଲଟ କରିଦେଇଥିଲା। ତାଙ୍କ ସ୍ତ୍ରୀ, ପିଲା ଓ ବୃଦ୍ଧା ମାଆ ନାହିଁ ନ ଥିବା ହଇରାଣ ହୋଇଥିଲେ। ଜେଲରେ ରହିବାରୁ ତାଙ୍କୁ ଚର୍ମରୋଗ ସମେତ ଅନ୍ୟାନ୍ୟ ରୋଗ ହୋଇଥିଲା, ଯାହା ଏବେ ମଧ୍ୟ ଅନୁଭୂତ ହେଉଛି ବୋଲି କନ୍ତୁ ତାଙ୍କ ପିଟିଶନରେ ଦର୍ଶାଇଛନ୍ତି।

Share