ନୂଆଦିଲ୍ଲୀ,୧୮।୯: ଯେତେବେଳେ ଆପଣ କୌଣସି ଋଣ ଯେପରିକି ବ୍ୟକ୍ତିଗତ ଋଣ, ସୁନା ଋଣ, ଗୃହ ଋଣ କିମ୍ବା କ୍ରେଡିଟ କାର୍ଡ ପାଇଁ ଆବେଦନ କରନ୍ତି, ଅନେକ ସମୟରେ ଲୋକେ ଏହାର ନିୟମ, ସର୍ତ୍ତ ଓ ଚୁକ୍ତିକୁ ପୁଙ୍ଖାନୁପୁଙ୍ଖ ଭାବେ ନ ବୁଝି ନେଇଥାନ୍ତି। ତେଣୁ ଋଣ ନେବା ପୂର୍ବରୁ ଏହାର ସମସ୍ତ ସର୍ତ୍ତ ଓ ନିୟମକୁ ଭଲଭାବେ ପଢ଼ି ବୁଝିବା ଅତ୍ୟନ୍ତ ଜରୁରୀ। ଏହା କରିବା ଦ୍ୱାରା ପରେ କୌଣସି ଅସୁବିଧା କିମ୍ବା ଅନାବଶ୍ୟକ ଅଡ଼ୁଆରୁ ରକ୍ଷା ପାଇପାରିବେ। ଅନେକ ଲୋକ ଋଣର ସର୍ତ୍ତ ବୁଝିବା ସମୟରେ କେବଳ ସୁଧ ହାରକୁ ଦେଖନ୍ତି, କିନ୍ତୁ ଋଣ ସମ୍ପର୍କରେ ଜାଣିବା ପାଇଁ ଆହୁରି ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ରହିଛି। ଏଠାରେ ୧୦ଟି ଗୁରୁତ୍ୱପୂର୍ଣ୍ଣ ବିଷୟ ଉଲ୍ଲେଖ କରାଯାଇଛି, ଯାହା ଋଣ ନେବା ପୂର୍ବରୁ ଅବଶ୍ୟ ବୁଝିବା ଆବଶ୍ୟକ।
**୧. ମୂଳଧନ (Principal)**
ମୂଳଧନ ହେଉଛି ସେହି ଅର୍ଥ, ଯାହା ଆପଣ ବ୍ୟାଙ୍କ କିମ୍ବା ଋଣଦାତା ସଂସ୍ଥାଠାରୁ ଧାର ନେଇଛନ୍ତି। ଏହି ରାଶି ଉପରେ ସୁଧ ଲାଗୁ ହୋଇଥାଏ।
**୨. ସୁଧ ହାର (Interest Rate)**
ସୁଧ ହାର ହେଉଛି ସେହି ଶତକଡ଼ା, ଯାହା ବ୍ୟାଙ୍କ ଆପଣଙ୍କଠାରୁ ସୁଧ ରୂପେ ନେଇଥାଏ। ଏହା ସ୍ଥିର (Fixed) କିମ୍ବା ପରିବର୍ତ୍ତନଶୀଳ (Floating) ହୋଇପାରେ। ସୁଧ ହାର ନିର୍ଦ୍ଧାରଣ କରେ ଯେ ଋଣ କେତେ ମହଙ୍ଗା କିମ୍ବା ଶସ୍ତା ହେବ।
**୩. ଇଏମଆଇ (EMI)**
ଇଏମଆଇ ହେଉଛି ସେହି ନିର୍ଦ୍ଧିଷ୍ଟ ମାସିକ ରାଶି, ଯାହା ଆପଣ ପ୍ରତି ମାସରେ ବ୍ୟାଙ୍କକୁ ପ୍ରଦାନ କରନ୍ତି। ଏଥିରେ ମୂଳଧନ ଓ ସୁଧ ଉଭୟ ଅନ୍ତର୍ଭୁକ୍ତ ହୋଇଥାଏ।
**୪. ଋଣ ଅବଧି (Loan Tenure)**
ଋଣ ଅବଧି ହେଉଛି ସେହି ସମୟ, ଯେଉଁଥିରେ ଆପଣ ସମ୍ପୂର୍ଣ୍ଣ ଋଣ ପରିଶୋଧ କରିବେ। ଅଧିକ ସମୟ ନେଲେ ମାସିକ କିସ୍ତି କମ ହୁଏ, କିନ୍ତୁ ମୋଟ ସୁଧ ବଢ଼ିଯାଏ। କମ ସମୟ ନେଲେ ମାସିକ କିସ୍ତି ଅଧିକ ହୁଏ, କିନ୍ତୁ ମୋଟ ସୁଧ କମ ହୋଇଥାଏ।
**୫. ଏପିଆର (APR)**
ଏପିଆର ବା ବାର୍ଷିକ ଶତକଡ଼ା ହାର (Annual Percentage Rate) ଆପଣଙ୍କ ଋଣର ପ୍ରକୃତ ବାର୍ଷିକ ଖର୍ଚ୍ଚ ବିଷୟରେ ସୂଚନା ଦେଇଥାଏ। ଏଥିରେ ସୁଧ ସହିତ ସମସ୍ତ ଫିସ ଓ ଚାର୍ଜ ମଧ୍ୟ ଅନ୍ତର୍ଭୁକ୍ତ ହୋଇଥାଏ, ତେଣୁ ଏହା ସୁଧ ହାର ଅପେକ୍ଷା ଅଧିକ ସଠିକ ଚିତ୍ର ପ୍ରଦାନ କରେ।
**୬. ପୂର୍ବ ପରିଶୋଧ (Prepayment)**
ପୂର୍ବ ପରିଶୋଧର ଅର୍ଥ ହେଉଛି ଆପଣ ର୍ନିଦ୍ଦିଷ୍ଟ ତାରିଖ ପୂର୍ବରୁ ଋଣର କିଛି ଅଂଶ କିମ୍ବା ସମ୍ପୂର୍ଣ୍ଣ ରାଶି ପରିଶୋଧ କରିପାରିବେ। ଏହା ଦ୍ୱାରା ସୁଧ କମ ହୋଇଥାଏ, କିନ୍ତୁ କିଛି ଋଣରେ ପୂର୍ବ ପରିଶୋଧ ଉପରେ ଜରିମାନା ମଧ୍ୟ ଲାଗୁ ହୋଇପାରେ।
**୭. ପ୍ରୋସେସିଂ ଫିସ (Processing Fee)**
ପ୍ରୋସେସିଂ ଫିସ ହେଉଛି ବ୍ୟାଙ୍କ କିମ୍ବା ସଂସ୍ଥା ଋଣ ପ୍ରଦାନ ପାଇଁ ନେଉଥିବା ଚାର୍ଜ। କେତେବେଳେ ଏହି ଫିସ ଆଗରୁ କଟାଯାଇଥାଏ କିମ୍ବା ଋଣ ରାଶିରେ ଯୋଡ଼ାଯାଇଥାଏ।
**୮. ଋଣ ସ୍ଥଗନ (Loan Moratorium)**
ଋଣ ସ୍ଥଗନ ହେଉଛି ଯେତେବେଳେ କିଛି ବିଶେଷ ପରିସ୍ଥିତିରେ (ଯେପରି କରୋନା ମହାମାରୀ ସମୟରେ) ଋଣର କିସ୍ତି କିଛି ସମୟ ପାଇଁ ସ୍ଥଗିତ ରଖାଯାଏ। କିନ୍ତୁ ଏହି ସମୟରେ ମଧ୍ୟ ସୁଧ ବଢ଼ିବାରେ ଲାଗେ।
**୯. ସମ୍ପତ୍ତି ଜାମାନତ (Collateral)**
କିଛି ଋଣରେ ଆପଣଙ୍କୁ କୌଣସି ସମ୍ପତ୍ତି (ଯେପରି ଘର, ଗାଡ଼ି, ସୁନା) ଜାମାନତ ରୂପେ ରଖିବାକୁ ପଡ଼ିଥାଏ। ଯଦି ଆପଣ ଋଣ ପରିଶୋଧ ନ କରନ୍ତି, ତେବେ ବ୍ୟାଙ୍କ ସେହି ସମ୍ପତ୍ତି ବିକ୍ରି କରିପାରେ।
**୧୦. ଏଲଟିଭି (Loan-to-Value Ratio – LTV)**
ଏଲଟିଭି ବା ଋଣ-ମୂଲ୍ୟ ଅନୁପାତ ସୂଚାଇଥାଏ ଯେ ଆପଣଙ୍କ ସମ୍ପତ୍ତିର ମୂଲ୍ୟ ଅନୁସାରେ ଆପଣଙ୍କୁ କେତେ ଋଣ ମିଳିବ। କମ ଏଲଟିଭି ଅର୍ଥ କମ ଜୋଖିମ।
**ଗୁରୁତ୍ୱପୂର୍ଣ୍ଣ ସୂଚନା**
ବ୍ୟକ୍ତିଗତ ଋଣରେ ମଧ୍ୟ କିଛି ଅଡ଼ୁଆ ରହିଥାଏ, ଯେପରି ଉଚ୍ଚ ସୁଧ ହାର, ଲୁଚାଯାଇଥିବା ଫିସ, କ୍ରେଡିଟ ସ୍କୋର ଉପରେ ପ୍ରଭାବ ଏବଂ ସଠିକ ସମୟରେ ପରିଶୋଧ ନ କଲେ ଆଇନଗତ ସମସ୍ୟା। ତେଣୁ ଋଣ ନେବା ପୂର୍ବରୁ ଭଲଭାବେ ଚିନ୍ତା କରନ୍ତୁ ଏବଂ ସମସ୍ତ ବିଷୟକୁ ଭଲଭାବେ ବୁଝନ୍ତୁ।

