Categories: ଜାତୀୟ

ଗୁଜରାଟରେ ୧୦ ଲକ୍ଷଙ୍କୁ ନିଯୁକ୍ତି ମିଳିବ

ରାଜକୋଟ,୨୪।୮: ଗୁଜରାଟରେ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ସରକାର ଗଢ଼ିଲେ ରାଜ୍ୟର ୧୦ ଲକ୍ଷ ଯୁବତୀଯୁବକଙ୍କୁ ନିଯୁକ୍ତି ଯୋଗାଇ ଦିଆଯିବ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ମଙ୍ଗଳବାର ପ୍ରତିଶ୍ରୁତି ଦେଇଛନ୍ତି। ଭାବନଗର ଟାଉନହଲ୍‌ରେ ଏକ ସଭାକୁ ସମ୍ବୋଧିତ କରି ଏଏପି ଆବାହକ କହିଥିଲେ, ଗୁଜରାଟରେ ଆଗାମୀ ବିଧାନସଭା ନିର୍ବାଚନରେ ତାଙ୍କ ଦଳ କ୍ଷମତାକୁ ଆସିଲେ ପରୀକ୍ଷା ପେପର ଲିକ୍‌ ମାମଲାରେ କଠୋର ଆଇନ ଅଣାଯିବ ଓ ଦୋଷୀଙ୍କୁ ୧୦ ବର୍ଷ ଜେଲଦଣ୍ଡ ବ୍ୟବସ୍ଥା ରହିବ। ୨୦୧୫ରୁ ହୋଇଥିବା ସମସ୍ତ ପେପର ଲିକ୍‌ ମାମଲାର ପୁନର୍ବାର ତଦନ୍ତ କରାଯାଇ ଦୋଷୀଙ୍କୁ ଦଣ୍ଡିତ କରାଯିବ।
ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କର କୌଣସି ଭୁଲ୍‌ ନ ଥାଇ ତାଙ୍କ ଘରେ ମିଥ୍ୟା ଅଭିଯୋଗରେ ସିବିଆଇ ଚଢ଼ାଉ କଲା। ୨/୩ ଦିନ ମଧ୍ୟରେ ସେମାନେ ସିସୋଡିଆଙ୍କୁ ଗିରଫ କରିପାରନ୍ତି। ତେବେ ଭାଜପା ଶାସିତ ରାଜ୍ୟ ଗୁଜରାଟ ଓ ମଧ୍ୟପ୍ରଦେଶରେ କ୍ରମାଗତ ଭାବେ ପେପର ଲିକ୍‌ ଦୁର୍ନୀତି ହେଉଥିଲେ ମଧ୍ୟ ଏ ନେଇ ସିବିଆଇ କୌଣସି ମନ୍ତ୍ରୀ କିମ୍ବା ଅଫିସରଙ୍କ ଘରେ ଚଢ଼ାଉ କରି ନ ଥିବା କେଜ୍‌ରିଓ୍ବାଲ କହିଛନ୍ତି। ଯଦି ଡିସେମ୍ବରରେ ଗୁଜରାଟରେ ତାଙ୍କ ସରକାର ଆସେ ତେବେ ଶିକ୍ଷକ ଓ ଅନ୍ୟାନ୍ୟ ନିଯୁକ୍ତି ପାଇଁ ତୁରନ୍ତ ପରୀକ୍ଷା କରାଯାଇ ଦୁଇମାସ ମଧ୍ୟରେ ଫଳ ପ୍ରକାଶ କରାଯିବ ଓ ସେହି ମାସରେ ନିଯୁକ୍ତି ଦିଆଯିବ ବୋଲି ଏଏପି ନେତା କହିଛନ୍ତି।

Share