୮୦ ମିଟର ରାସ୍ତାରେ ଖର୍ଚ୍ଚ ହୋଇଛି ୧୦ ଲକ୍ଷ

ପଟ୍ଟାମୁଣ୍ଡାଇ,୧୦ା୬(ସ୍ବ.ପ୍ର.): ପଟ୍ଟାମୁଣ୍ଡାଇ ପୌର ପରିଷଦ ଅନ୍ତର୍ଗତ ୱାର୍ଡ ନଂ. ୧୯ଠାରେ ୧୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ କଟକ-ଚାନ୍ଦବାଲି ମେନ୍‌ ରୋଡଠାରୁ ଅଜୟ ତରାଇ ଘର ପର୍ଯ୍ୟନ୍ତ ୮୦ ମିଟର ଫେବର ଇଟାରେ ରାସ୍ତା କାର୍ଯ୍ୟ ହୋଇଥିଲା। ମାତ୍ର କାମ ହେବାର କିଛିଦିନ ପରେ ହାଇଓ୍ବା ଗାଡ଼ି ପଶି ଯିବା ଆସିବା କରିବାରୁ ଉକ୍ତ ରାସ୍ତାଟି ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଛି। ରାସ୍ତା କାର୍ଯ୍ୟରେ ଅନିୟମିତତା ହେଉ ବା ହାଇଓ୍ବା ଚଢ଼ି ଭାଙ୍ଗିଯାଉ, ରାସ୍ତାକୁ ପୁନଃ ନିର୍ମାଣ ପାଇଁ ସ୍ଥାନୀୟ ଲୋକେ ପୌର ନିର୍ବାହୀ ଅଧିକାରୀ ସମ୍ପଦ ସ୍ବାଇଁଙ୍କ ନିକଟରେ ଅଭିଯୋଗ କରିଛନ୍ତି। ସୂଚନା ଅନୁଯାୟୀ, ପୌର ପରିଷଦ ଓ୍ବାର୍ଡ ନଂ. ୧୯ରେ ଫେବର ରାସ୍ତା ନିର୍ମାଣ ପାଇଁ ୧୦ ଲକ୍ଷ ଟଙ୍କାର ଟେଣ୍ଡର କରାଯାଇ କାର୍ଯ୍ୟାଦେଶ ଦିଆଯାଇଥିଲା। ଏକ ମାସ ତଳେ ଉକ୍ତ କାର୍ଯ୍ୟ ସମାପନ ହୋଇଥିଲା। ମାତ୍ର କାର୍ଯ୍ୟ ସମାପନ ହୋଇଥିବା ରାସ୍ତା ଅତି ନିମ୍ନମାନର କରାଯାଇଥିବାରୁ ହାଇଓ୍ବା ଚଳପ୍ରଚଳ ଦ୍ୱାରା ସମ୍ପୂର୍ଣ୍ଣ ରାସ୍ତା ଦବି ଯାଇ ଫେବର ଉଠି ଭାଙ୍ଗି ଯାଇଛିି।
ପ୍ରକାଶ ଥାଉ କି, ନ୍ୟାଶନାଲ କାଉନସିଲ ଫର୍‌ ସିମେଣ୍ଟ ଆଣ୍ଡ ବିଲଡିଂ ମ୍ୟାଟେରିଆଲ, ଭୁବନେଶ୍ୱର ଟେଷ୍ଟିଂ ଲାବରେଟୋରି ଦ୍ୱାରା ପରୀକ୍ଷା କରାଯାଇଥିବା ଇଟା ଏହି ରାସ୍ତା କାମରେ ବ୍ୟବହାର କରାଯିବା କଥା, କିନ୍ତୁ ସେହି ନିୟମକୁ ଉପେକ୍ଷା କରି ସ୍ଥାନୀୟ ଫେବର ଇଟା ଦ୍ୱାରା କରାଯାଇଥିବାରୁ ଏକମାସ ମଧ୍ୟରେ ସମ୍ପୂର୍ଣ୍ଣ ରାସ୍ତାଟି ନଷ୍ଟ ହୋଇଯାଇଛି। ତେଣୁ ଉକ୍ତ ରାସ୍ତାକୁ ମଞ୍ଜୁରପ୍ରାପ୍ତ ଫେବର ଇଟା ବ୍ୟବହାର କରି ପୁନର୍ବାର ନିର୍ମାଣ କରାଯାଉ ବୋଲି ଦାବି ହୋଇଛି। ଏ ସମ୍ପର୍କରେ ପୌର ପରିଷଦ କନିଷ୍ଠ ଯନ୍ତ୍ରୀ ସୁଶୀଲ ବେହେରାଙ୍କୁ ପଚାରିବାରୁ ଉକ୍ତ ରାସ୍ତା କାର୍ଯ୍ୟ ଠିକ୍‌ ଢଙ୍ଗରେ ହୋଇଥିଲା। ମାତ୍ର ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ସେହି ଫେବର ରାସ୍ତା ଦେଇ ୫୦ ରୁ ୬୦ ଟ୍ରିପ ବାଲି ହାଇଓ୍ବାରେ ଯିବାଆସିବା କରିବାରୁ ରାସ୍ତାଟି ଭାଙ୍ଗି ଯାଇଛି। ଏ ନେଇ ସ୍ଥାନୀୟ ଲୋକେ ଥାନାରେ କେସ୍‌ କରିବା ସହ ନିର୍ବାହୀ ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ବୋଲି ସେ କହିଛନ୍ତି।