୧୦ ଲକ୍ଷ ବିଦେଶୀ ଛାତ୍ରୀଛାତ୍ରଙ୍କୁ ଆମେରିକା ଛାଡ଼ିବାକୁ ନିର୍ଦ୍ଦେଶ

ଓ୍ବାଶିଂଟନ, ୭।୭: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆମେରିକା ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଇତିମଧ୍ୟରେ ଆମେରିକା ଛାଡ଼ିବାକୁ ୧୦ ଲକ୍ଷ ବିଦେଶୀ ଛାତ୍ରୀଛାତ୍ରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍‌ଲାଇନ୍‌ରେ କ୍ଲାସ୍‌ କରୁଥିବା ଛାତ୍ରୀଛାତ୍ର ଆମେରିକାରେ ନ ରହି ସ୍ବଦେଶ ବାହୁଡ଼ିଯିବାକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ସରକାରଙ୍କ ପକ୍ଷରୁ କୁହାଯାଇଛି। ଏଭଳି ଛାତ୍ରୀଛାତ୍ରଙ୍କର କଲେଜ ଅବା ବିଶ୍ୱବିଦ୍ୟାଳୟକୁ ଯିବାର ଆବଶ୍ୟକତା ନାହଁ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଯେଉଁ ଛାତ୍ରୀଛାତ୍ରଙ୍କ ସମସ୍ତ କ୍ଲାସ୍‌ ଅନ୍‌ଲାଇନ୍‌ ହୋଇଯାଇଛି କେବଳ ସେମାନଙ୍କ ଲାଗି ସରକାରଙ୍କ ଏହି ନିଷ୍ପତ୍ତି ଲାଗୁହେବ। ଟ୍ରମ୍ପ୍‌ ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁ ଏଫ୍‌-୧ ଏବଂ ଏମ୍‌-୧ ଭିଜା ଥିବା ଛାତ୍ରୀଛାତ୍ର ଅଧିକ ପ୍ରଭାବିତ ହେବେ ବୋଲି କୁହାଯାଉଛି। ଆମେରିକାରେ ଚାଇନାର ସର୍ବାଧିକ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ଏହା ତଳକୁ ଭାରତୀୟ ଛାତ୍ରୀଛାତ୍ରଙ୍କ ସଂଖ୍ୟା ରହିଛି। ସୂଚନାଯୋଗ୍ୟ, ୨୦୧୮-୧୯ ରିପୋର୍ଟ ଅନୁସାରେ ଆମେରିକାରେ ୩ ଲକ୍ଷ ୬୯ ହଜାର ୫୪୮ ଚାଇନା ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ସେହିପରି ଭାରତୀୟ ଛାତ୍ରୀଛାତ୍ରଙ୍କ ସଂଖ୍ୟା ୨ ଲକ୍ଷ ୨୦ ହଜାର ୧୪ ରହିଛି। ଅପରପକ୍ଷରେ ଦକ୍ଷିଣ କୋରିଆର ଛାତ୍ରୀଛାତ୍ରଙ୍କ ସଂଖ୍ୟା ୫୨ ହଜାର ୨୫୦ ରହିଛି। ଆମେରିକା ୨୦୧୮ରେ ବିଦେଶୀ ଛାତ୍ରୀଛାତ୍ରଙ୍କଠାରୁ ୪୪୭୦ କୋଟି ଡଲାରର ରାଜସ୍ବ ସଂଗ୍ରହ କରିଥିଲା।

Share