୯ ମାସରେ ୧୦ କୋଟିର ବ୍ରାଉନସୁଗାର ଜବତ

ଭୁବନେଶ୍ୱର,୧୦।୧୦(ବ୍ୟୁରୋ): ନିଶା କାରବାରର ପେଣ୍ଠସ୍ଥଳୀ ପାଲଟିଛି ଦ୍ୱୈତନଗରୀ କଟକ ଓ ଭୁବନେଶ୍ୱର। ବିଶେଷକରି ବ୍ରାଉନସୁଗାରର ବେଆନ ବଜାର ଭାବେ ଉଭା ହୋଇଛି। ଚଳିତ ବର୍ଷ କେବଳ ୯ ମାସରେ କମିଶନରେଟ ପୋଲିସ ଦୁଇ ସହରରୁ ୧୦ କୋଟି ମୂଲ୍ୟର ପ୍ରାୟ ୧୦ କେଜିରୁ ଊର୍ଦ୍ଧ୍ୱ ବ୍ରାଉନସୁଗାର ଜବତ କରିଛି। ବିଭିନ୍ନ ଥାନାରେ ୪୪ଟି ମାମଲ ରୁଜୁ ହୋଇଥିବାବେଳେ ୯୭ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏଥିସହ ସେମାନଙ୍କ ନିକଟରୁ ୪୩ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଜବତ ହୋଇଥିବା ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।
୩୩ ମାମଲା ରୁଜୁ କରାଯାଇ ୫.୬୬୦ କେଜି ବ୍ରାଉନସୁଗାର ଜବତ କରାଯିବା ସହ ୬୭ଜଣଙ୍କୁ ଗିରଫ କରାଯାଇଛି।

ସେହିପରି କଟକରେ ୧୧ ମାମଲାରେ ୩୦ଜଣ ଗିରଫ ହୋଇଥିବାବେଳେ ୪.୬୪୬ ଗ୍ରାମ୍‌ ବ୍ରାଉନସୁଗାର ଜବତ କରାଯାଇଛି। ତେବେ ଗତବର୍ଷ ସାରା ରାଜ୍ୟରୁ ମୋଟ ୩୪କେଜି ବ୍ରାଉନସୁଗାର ଜବତ କରିଥିଲା ଓଡ଼ିଶା ପୋଲିସ। ତେବେ କମିଶନରେଟ ପୋଲିସ ୯ ମାସରେ ୧୦କେଜି ବ୍ରାଉନସୁଗାର ଜବତ କରିବା ଏକ ରେକର୍ଡ। ଗତ ଅଗଷ୍ଟ ୧୫ରୁ କମିଶନରେଟ ପୋଲିସ ପକ୍ଷରୁ ଭୁବନେଶ୍ୱରରେ ‘ଅପରେଶନ ହ୍ବାଇଟ୍‌ ସ୍ପାଇଡର’ ଜରିଆରେ ୧ କେଜି ୩୫ ଗ୍ରାମ ବ୍ରାଉନସୁଗାର ଜବତ କରାଯିବା ସହ ୩୭ ଜଣଙ୍କୁ ଗିରଫ କରାଯାଇଛି। ଶନିବାର ଏହି ଅପରେଶନରେ କ୍ୟୁଏଟି ଓ ବାଲିଅନ୍ତା ପୋଲିସ ୨୬୦ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ କେସୁରା ଅଞ୍ଚଳର ମୃଣାଳ ସାମଲଙ୍କୁ ଗିରଫ କରିଛି। ଆଗାମୀ ଦିନରେ ଟୁଇନ୍‌ ସିଟିକୁ ବ୍ରାଉନସୁଗାର ମୁକ୍ତ କରିବା ପାଇଁ ଅପରେଶନକୁ ଜୋରଦାର କରାଯିବ ବୋଲି କମିଶନର କହିଛନ୍ତି। ମୁଖ୍ୟତଃ ବ୍ରାଉନସୁଗାର ସେବନ କରି ଯୁବକମାନେ ଅପରାଧ ଦୁନିଆରେ ପାଦ ଥାପି ଜେଲ ଯାଉଛନ୍ତି। ଜେଲରୁ ଫେରିବା ପରେ ସେମାନେ ପୁଣି ବ୍ରାଉନସୁଗାର ଖାଇବା ସହ ଏହି କାରବାରରେ ସଂପୃକ୍ତ ରହି ଅପରାଧ ଘଟାଉଛନ୍ତି। ତେଣୁ ଆଗାମୀ ଦିନରେ ପୋଲିସ ଟାର୍ଗେଟରେ ଥିବା ନିଶାସକ୍ତ ଅଭିଯୁକ୍ତଙ୍କୁ ନିଶା ନିବାରଣ କେନ୍ଦ୍ରକୁ ପଠାଇବା ସହ ସମାଜରେ ମୁଖ୍ୟ ସ୍ରୋତରେ ସାମିଲ ପାଇଁ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି। ଏହା ସହିତ ’କ୍ରାଇମ୍‌-ଡ୍ରଗ-ବସ୍ତି’ ତ୍ରିକୋଣୀୟ କ୍ରାଇମ୍‌ ଉପରେ ପୋଲିସ ବସ୍ତିଚାଲ ଅଭିଯାନ ଆରମ୍ଭ କରିଛି। ସୂଚନା ଦେବାରେ ଲୋକଙ୍କ ସହଯୋଗ ମିଳିଲେ ଟୁଇନ୍‌ସିଟି ଡ୍ରଗ୍ସମୁକ୍ତ ହୋଇପାରିବ ବୋଲି କମିଶନର କହିଛନ୍ତି।