ଏନ୍‌ଏସି ବୈଠକରେ ୧୦ କାଉନସିଲର ଅନୁପସ୍ଥିତ

ଗଞ୍ଜାମ,୧୩।୯(ବିଦ୍ୟାଧର ସାହୁ):ଗଞ୍ଜାମ ଏନଏସି ସଭା ଗୃହରେ ମଙ୍ଗଳବାର ଷଷ୍ଠ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଅଧ୍ୟକ୍ଷା ପ୍ରତିଭା ପାଢ଼ୀ ଓ ଇଓ ଅବିନାଶ ମିଶ୍ର ମଞ୍ଚାସିନ ଥିବା ବେଳେ ୧୨କାଉନସିଲରଙ୍କ ମଧ୍ୟରୁ ୬ ଓ ୯ ନଂ ଓ୍ବାର୍ଡ କାଉନସିଲର ଅରୁଣ ପଣ୍ଡା ଓ ସ୍ବାଗତ ଆଶିଷ ନାୟକ ଯୋଗ ଦେଇଥିଲେ। ଉପନଗରପାଳଙ୍କ ସମେତ ୧୦ କାଉନସିଲର ଅନୁପସ୍ଥିତ ଥିଲେ। ଅନ୍ୟପଟେ ବୈଠକ ପୂର୍ବରୁ ୱାର୍ଡ ନଂ ୨ ମହିଳା କାଉନସିଲର ରୀତାଦେବି ମହାରଣା ଓ ୱାର୍ଡ ନଂ ୧୧ କାଉନସିଲର ମୋହନ ରେଡ଼ିଙ୍କ ରେଜିଷ୍ଟରରେ ସ୍ବାକ୍ଷର କରିଥିଲେ। ଏନେଇ ଉଭୟ କାଉନସିଲର ଅଧିବେଶନ ନିମନ୍ତେ ସ୍ବାକ୍ଷର କରି ନଥିବା ଦର୍ଶାଇ ଇଓ ମିଶ୍ରଙ୍କୁ ଅଭିଯୋଗ କରିଥିଲେ ଏବଂ ପରବର୍ତ୍ତି ସମୟରେ କାଉନସିଲର ମହାରଣା ନିଜ ସ୍ବାକ୍ଷର କାଟିଦେଇଥିବା ଘଟଣା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଉପନଗରପାଳ ସୁରେନ୍ଦ୍ର କୁମାର ବାରିକି, ୭ ନଂ ୱାର୍ଡ କାଉନସିଲର ପୁରୁଷୋତ୍ତମ ସାହୁ ଏବଂ ୧୨ ନଂ ୱାର୍ଡର ଚନ୍ଦ୍ରଶେଖର ରେଡ଼ି କିଭଳି ବୈଠକ କରାଗଲା ବୋଲି ପ୍ରଶ୍ନ କରିଥିଲେ। ଉପନଗରପାଳ ଓ ଅନ୍ୟାନ୍ୟ କାଉନସିଲରଙ୍କ ଅନୁପସ୍ଥିତରେ କେମିତି ବୈଠକ କରାଗଲା ବୋଲି ଇଓ ମିଶ୍ରଙ୍କୁ ପ୍ରଶ୍ନ କରିବା ସହ ହୋହାଲ୍ଲା କରିଥିଲେ। ଫଳରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାକୁ ନେଇ ଉପାଧ୍ୟକ୍ଷ ସୁରେନ୍ଦ୍ର କୁମାର ବାରିକିଙ୍କ ସମେତ ବିଭିନ୍ନ ୱାର୍ଡ କାଉନସିଲର ଘୋର ଅସନ୍ତୋଷ ବ୍ୟକ୍ତ କରିଥିଲେ। ପ୍ରକାଶ ଯୋଗ୍ୟ, ଅଧିବେଶନରେ ଅନୁପସ୍ଥିତ ରହିଥିବା ରୀତାଦେବୀ ମହାରଣା ଓ ମୋହନ ରେଡ୍ଡି ରେଜିଷ୍ଟରରେ କରିଥିବା ସ୍ବାକ୍ଷର ବୈଠକ ପୂର୍ବରୁ ନିଆଯାଇଥିବା ଲିଖିତ ଅଭିଯୋଗ ଗଣମାଧ୍ୟମକୁ ହସ୍ତଗତ ହୋଇଛି। ଚତୁରତାର ସହ ବୈଠକ ପୂର୍ବରୁ ରେଜିଷ୍ଟର ଦସ୍ତଖତ ନିଆଯାଇଥିବା ଲିଖିତ ଅଭିଯୋଗ ପତ୍ରରେ ଉଭୟ କାଉନସିଲର ଉଲେଖ କରିଛନ୍ତି। ନିର୍ବାଚନ ପର ଠାରୁ ଅଧ୍ୟକ୍ଷା ଓ ଉପାଧ୍ୟାକ୍ଷଙ୍କ ମଧ୍ୟରେ ତୁତୁ ମେଁମେ ଲାଗି ରହିଛି।