ମଧ୍ୟବିତ୍ତଙ୍କୁ ବଡ଼ ଝଟ୍‌କା: ୧ ନଭେମ୍ୱରରୁ ବଦଳିଯିବ ଗାଡ଼ି, ବ୍ୟାଙ୍କିଂ ଓ ଗ୍ୟାସ ସିଲିଣ୍ଡର ଦର

ନୂଆଦିଲ୍ଲୀ,୨୯।୧୦: ଆସନ୍ତା ୧ ନଭେମ୍ୱର ୨୦୨୬ରୁ ଦେଶରେ ସାଧାରଣ ଲୋକଙ୍କ ପକେଟ, ବ୍ୟାଙ୍କିଙ୍ଗ ବ୍ୟବସ୍ଥା ଏବଂ ଦୈନନ୍ଦିନ ଜୀବନ ସହ ଜଡ଼ିତ ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମରେ ବଡ଼ ଧରଣର ପରିବର୍ତ୍ତନ ହେବାକୁ ଯାଉଛି। ଦିଲ୍ଲୀ-ଏନସିଆର (Delhi-NCR)ରେ ବଢ଼ୁଥିବା ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ଗ୍ରାପ (GRAP) ଅଧୀନରେ ଯାନବାହନ ପ୍ରବେଶ ଏବଂ ର୍ନିମାଣ କାର୍ଯ୍ୟ ଉପରେ କଡ଼ା କଟକଣା ଲାଗୁ କରାଯାଉଛି। ଏହା ଅଧୀନରେ ଦିଲ୍ଲୀରେ ୧ ନଭେମ୍ୱର ୨୦୨୬ରୁ BS-6 ଠାରୁ ପୁରୁଣା ଗାଡ଼ିଗୁଡ଼ିକର ପ୍ରବେଶ ବନ୍ଦ ହେବାକୁ ଯାଉଛି। ଏହାଦ୍ୱାରା ଉତ୍ତର ପ୍ରଦେଶ, ହରିୟାଣା, ପଞ୍ଜାବ ଏବଂ ରାଜସ୍ଥାନ ଭଳି ରାଜ୍ୟରୁ ଦିଲ୍ଲୀ ଆସୁଥିବା ଗାଡ଼ିଗୁଡ଼ିକ ଉପରେ ଏହାର ପ୍ରଭାବ ପଡ଼ିବ। ଅନ୍ୟପଟେ ବ୍ୟାଙ୍କିଙ୍ଗ, ଆଧାର କାର୍ଡ ଏବଂ କ୍ରେଡିଟ କାର୍ଡ ନିୟମରେ ମଧ୍ୟ ଆଶ୍ୱସ୍ତି ଓ ପରିବର୍ତ୍ତନ ଦେଖିବାକୁ ମିଳିବ।

ଦିଲ୍ଲୀରେ ଲୁଟିୟନ୍ସ ଜୋନ ଅଞ୍ଚଳରେ ପାର୍କିଂ ଫି’ ମଧ୍ୟ ଦୁଇଗୁଣ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଉତ୍ତର ପ୍ରଦେଶରେ ରାମ ମନ୍ଦିର ଦର୍ଶନ ଓ ଆଳତିର ସମୟ ମଧ୍ୟ ବଦଳୁଛି। ଏସବିଆଇ (SBI) କ୍ରେଡିଟ କାର୍ଡ ଶୁଳ୍କ ସମ୍ପର୍କିତ ନୂଆ ନିୟମ ମଧ୍ୟ ଲାଗୁ ହେଉଛି। ବ୍ୟାଙ୍କ ଖାତା ଏବଂ ଲକର୍‌ ନିୟମରେ ମଧ୍ୟ ପରିବର୍ତ୍ତନ ହେବ।

ଶୀତଦିନେ କୁହୁଡ଼ି ଓ ଧୂଆଁ (Smog) ଆଶଙ୍କାକୁ ଦୃଷ୍ଟିରେ ରଖି ପ୍ରଶାସନ ରାଜଧାନୀରେ ଗାଡ଼ିମୋଟର ଏବଂ ର୍ନିମାଣ କାର୍ଯ୍ୟକଳାପ ଉପରେ କଡ଼ା ପଦକ୍ଷେପ ଗ୍ରହଣ କରିଛି। ୧ ନଭେମ୍ୱରରୁ ଦିଲ୍ଲୀ ସୀମା ଭିତରକୁ କେବଳ BS-6 (Bharat Stage VI) ମାନକ ଗାଡ଼ିଗୁଡ଼ିକୁ ହିଁ ପ୍ରବେଶ ଅନୁମତି ମିଳିବ। ଉତ୍ତର ପ୍ରଦେଶ, ହରିୟାଣା, ପଞ୍ଜାବ ଏବଂ ରାଜସ୍ଥାନରୁ ଆସୁଥିବା ପୁରୁଣା ପ୍ରଯୁକ୍ତିବିଦ୍ୟାର ଡିଜେଲ ଗାଡ଼ି, ବସ ଏବଂ ଟ୍ୟାକ୍ସି ପ୍ରବେଶ ଉପରେ କଡ଼ା ପ୍ରତିବନ୍ଧକ ରହିବ। ଇଲେକ୍ଟ୍ରିକ ଗାଡ଼ି (EVs), CNG ଏବଂ LNG ଚାଳିତ ଗାଡ଼ିକୁ ଏହି କଟକଣାରୁ ସମ୍ପୂର୍ଣ୍ଣ ମୁକ୍ତ ରଖାଯାଇଛି। ଏହା ବ୍ୟତୀତ ବୈଧ ପିୟୁସି (PUC) ସାର୍ଟିଫିକେଟ ବିନା ପେଟ୍ରୋଲ-ଡିଜେଲ ମିଳିବ ନାହିଁ।

ବ୍ୟକ୍ତିଗତ ଗାଡ଼ି ବ୍ୟବହାରକୁ କମାଇବା ପାଇଁ ଲୁଟିୟନ୍ସ ଜୋନ ସମେତ ଅନୁମୋଦିତ ପାର୍କିଂ ସ୍ଥଳଗୁଡ଼ିକରେ ପାର୍କିଂ ଫି’ ୧ ନଭେମ୍ୱର ୨୦୨୬ରୁ ୨୮ ଫେବୃଆରୀ ୨୦୨୭ ପର୍ଯ୍ୟନ୍ତ ଦୁଇଗୁଣ କରାଯାଇଛି। ତେବେ ଦିଲ୍ଲୀ ମେଟ୍ରୋର ପାର୍କିଂ ଏଥିରୁ ମୁକ୍ତ ରହିବ।

୧ ନଭେମ୍ୱରରୁ ୩୧ ଜାନୁଆରୀ ୨୦୨୭ ପର୍ଯ୍ୟନ୍ତ ଧୂଳି ସୃଷ୍ଟିକାରୀ ଭଙ୍ଗାରୁଜା ଓ ଖନନ କାର୍ଯ୍ୟ ଉପରେ କଟକଣା ରହିବ, ଯାହାକୁ ୧୦ ଡିସେମ୍ୱରରୁ ଆହୁରି କଡ଼ାକଡ଼ି କରାଯିବ। ସେହିପରି ସରକାରୀ ଓ ଘରୋଇ କାର୍ଯ୍ୟାଳୟଗୁଡ଼ିକରେ ୫୦% ୱାର୍କ ଫ୍ରମ ହୋମ (WFH) ନିୟମ ଲାଗୁ ହେବ।

୧ ନଭେମ୍ୱରରୁ ଲାଗୁ ହେଉଥିବା ବ୍ୟାଙ୍କିଙ୍ଗ ନିୟମ (ସଂଶୋଧନ) ଅଧିନିୟମ ଅଧୀନରେ ଗ୍ରାହକମାନଙ୍କୁ ନିଜ ବ୍ୟାଙ୍କ ଖାତା ଏବଂ ଲକର୍‌ ସୁରକ୍ଷା କ୍ଷେତ୍ରରେ ଏକ ବଡ଼ ସୁବିଧା ମିଳିବାକୁ ଯାଉଛି। ଏବେ ଖାତାଧାରୀମାନେ ନିଜର ସିଙ୍ଗଲ କିମ୍ୱା ଯୁଗ୍ମ (Joint) ବ୍ୟାଙ୍କ ଖାତା ତଥା ବ୍ୟାଙ୍କ ଲକରରେ ସର୍ୱାଧିକ ୪ ଜଣ ନୋମିନି (Nominee) ଯୋଡ଼ିପାରିବେ। ଏଥିରେ ଆକାଉଣ୍ଟ ହୋଲ୍ଡର ନିଜେ ସ୍ଥିର କରିପାରିବେ ଯେ କେଉଁ ନୋମିନିଙ୍କୁ ମୋଟ ଜମା ରାଶିର କେତେ ପ୍ରତିଶତ ଅଂଶ ମିଳିବ।

ସେହିପରି ବ୍ୟାଙ୍କ ଲକର୍‌ ପାଇଁ ‘କ୍ରମିକ ନାମାଙ୍କନ’ (Successive Nomination) ସୁବିଧା ମିଳିବ, ଯାହାଫଳରେ ଲକରର ପ୍ରଥମ ପ୍ରବେଶ ଅଧିକାର କାହାକୁ ମିଳିବ ଏବଂ ତାହା ପରେ କାହାକୁ ମିଳିବ, ତାହା ର୍ନିଦ୍ଧାରଣ କରାଯାଇପାରିବ। ଏହାଦ୍ୱାରା କ୍ଲେମ ସମାଧାନ କ୍ଷେତ୍ରରେ କୌଣସି ବିବାଦ ଉପୁଜିବ ନାହିଁ।

ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧିକରଣ (UIDAI) ଆଧାର କାର୍ଡରେ ବାୟୋମେଟ୍ରିକ ଅପଡେଟ କରାଉଥିବା ପରିବାରଗୁଡ଼ିକୁ ଏକ ବଡ଼ ଆଶ୍ୱସ୍ତି ଦେଇଛି। ପିଲାମାନଙ୍କ ପାଇଁ ମାଗଣା ବାୟୋମେଟ୍ରିକ ଅପଡେଟ: ପିଲାମାନଙ୍କ ବାଧ୍ୟତାମୂଳକ ବାୟୋମେଟ୍ରିକ ଅପଡେଟ (୫ ରୁ ୭ ବର୍ଷ ଏବଂ ୧୫ ରୁ ୧୭ ବର୍ଷ ବୟସ) ଉପରେ ଲାଗୁଥିବା ୧୨୫ ଟଙ୍କାର ଶୁଳ୍କକୁ ସମ୍ପୂର୍ଣ୍ଣ ଛାଡ଼ କରାଯାଇଛି। ଏହି ରିହାତି ୧ ବର୍ଷ ପାଇଁ ଲାଗୁ ରହିବ। ଏହା ବ୍ୟତୀତ ଠିକଣା ଏବଂ ନାମରେ ଅନଲାଇନ ଡେମୋଗ୍ରାଫିକ ସଂଶୋଧନ ପ୍ରକ୍ରିୟାକୁ ମଧ୍ୟ ପୂର୍ୱ ଅପେକ୍ଷା ଅଧିକ ସହଜ କରାଯାଇଛି।

ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI) କାର୍ଡଧାରୀମାନଙ୍କୁ ୧ ନଭେମ୍ୱରରୁ ନିଜର ଅନସିକ୍ୟୋର୍ଡ (Unsecured) କ୍ରେଡିଟ କାର୍ଡ ବ୍ୟବହାରରେ ନୂତନ ପରିବର୍ତ୍ତନ ଦେଖିବାକୁ ମିଳିବ। କ୍ରେଡିଟ କାର୍ଡ ମାଧ୍ୟମରେ ଡିଜିଟାଲ ୱାଲେଟ ରିଚାର୍ଜ କରିବା କିମ୍ୱା କେତେକ ର୍ନିଦ୍ଦିଷ୍ଟ ବ୍ୟବସାୟିକ ବର୍ଗରେ (Merchant Categories) କାରବାର କରିବା ଉପରେ ନୂଆ ଫାଇନାନ୍ସ ଚାର୍ଜ ଏବଂ ପ୍ରୋସେସିଂ ଫି’ ଲାଗୁ ହୋଇପାରେ। ୟୁଟିଲିଟି ବିଲ (Utility Bill) ପେମେଣ୍ଟ ଏବଂ ୱାଲେଟ କାରବାର କରିବା ପୂର୍ୱରୁ ନୂଆ ଫି’ ନିର୍ଦ୍ଦେଶାବଳୀ ଯାଞ୍ଚ କରିବାକୁ କାର୍ଡଧାରୀମାନଙ୍କୁ ପରାମର୍ଶ ଦିଆଯାଇଛି।

ପ୍ରତି ମାସର ପହିଲା ତାରିଖ ଭଳି ୧ ନଭେମ୍ୱରରେ ମଧ୍ୟ ତୈଳ ବିପଣନ କମ୍ପାନୀଗୁଡ଼ିକ (OMCs) LPG, CNG, PNG ଏବଂ ବିମାନ ଇନ୍ଧନ (ATF) ଦରର ସମୀକ୍ଷା କରିବେ। ଏଭଳି ପରିସ୍ଥିତିରେ ଗ୍ୟାସ ଦରରେ ପରିବର୍ତ୍ତନ ହୋଇପାରେ। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ଆଧାରରେ ରନ୍ଧନ ଗ୍ୟାସ ଏବଂ ବ୍ୟବସାୟିକ LPG ସିଲିଣ୍ଡର ମୂଲ୍ୟରେ ସଂଶୋଧନ ସମ୍ଭବ, ଯାହାର ସିଧାସଳଖ ପ୍ରଭାବ ସାଧାରଣ ଲୋକ ତଥା ବ୍ୟବସାୟୀଙ୍କ ବଜେଟ ଉପରେ ପଡ଼ିବ।

ଏହା ସହିତ ଧାର୍ମିକ ସ୍ଥଳ ପରିପ୍ରେକ୍ଷୀରେ, ଉତ୍ତର ପ୍ରଦେଶର ଅଯୋଧ୍ୟାରେ ଥିବା ରାମ ମନ୍ଦିରରେ ଦର୍ଶନ ଏବଂ ଆଳତି ସମୟରେ ମଧ୍ୟ ଋତୁ ପରିବର୍ତ୍ତନ ଅନୁସାରେ ଶୀତକାଳୀନ ସମୟ ସାରଣୀ (Time Table) ଲାଗୁ କରାଯାଉଛି।

Share