ଶିଳ୍ପ ପାଇଁ ୧ ଲକ୍ଷ ହେକ୍ଟର ଜମି

ଭୁବନେଶ୍ୱର,୩୦।୭(ବ୍ୟୁରୋ): ରାଜ୍ୟରେ ବିଭିନ୍ନ ଶିଳ୍ପ ପ୍ରତିଷ୍ଠା ପାଇଁ ଜମି ଯୋଗାଇଦେବା ତଥା ଶିଳ୍ପ ଭିତ୍ତିଭୂମି ଉନ୍ନୟନ ନିମନ୍ତେ ଇଡ୍‌କୋ ଦ୍ୱାରା ଲ୍ୟାଣ୍ଡ ବ୍ୟାଙ୍କ ଗଠନ କରାଯାଇଛି। ଇଡ୍‌କୋ ଏଥିପାଇଁ ୧ ଲକ୍ଷ ହେକ୍ଟର ଜମି ଅଧିଗ୍ରହଣ କରିବ। ବିଜେଡି ସଭ୍ୟ ଧ୍ରୁବ ଚରଣ ସାହୁଙ୍କ ମୂଳ ପ୍ରଶ୍ନର ଉତ୍ତରରେ ଶୁକ୍ରବାର ପ୍ରଶ୍ନକାଳରେ ଶିଳ୍ପମନ୍ତ୍ରୀ ପ୍ରତାପ କେଶରୀ ଦେବ ଏହା କହିଛନ୍ତି। ମୂଳ ପ୍ରଶ୍ନକର୍ତ୍ତା ପଚାରିଥିଲେ ରାଜ୍ୟରେ ନୂତନ ଶିଳ୍ପ ପ୍ରତିଷ୍ଠା ଲାଗି ସରକାର ଇଡ୍‌କୋ ଜରିଆରେ ଲ୍ୟାଣ୍ଡ ବ୍ୟାଙ୍କ ସୃଷ୍ଟି କରୁଛନ୍ତି। ଏହି ଯୋଜନାରେ ଭତରକନିକା ନିକଟସ୍ଥ ଡାଙ୍ଗମାଳ, ଖମାରସାହି, ବଗପାଟିଆ ଓ ପେଣ୍ଠ ବେଳାଭୂମି ନିକଟରେ ପରିବେଶ ଅନୁକୂଳ ଇକୋ କଟେଜ୍‌, ରିସର୍ଟ ପ୍ରତିଷ୍ଠା ପାଇଁ ସରକାର କି ପଦକ୍ଷେପ ନେଇଛନ୍ତି।
ମନ୍ତ୍ରୀ କହିଛନ୍ତି, ରାଜ୍ୟ ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ଲ୍ୟାଣ୍ଡ ବ୍ୟାଙ୍କ କାଟେଗୋରି-ଏ ଅଧୀନରେ ଭିତରକନିକା ନିକଟସ୍ଥ ଖମାରସାହିଠାରେ ୨୩.୨୯ ଏକର ଓ ଦୁର୍ଗାପ୍ରସାଦଠାରେ ୮.୧୪ ଏକର ଜମି ଚିହ୍ନଟ କରାଯାଇ ଏହାର ଲିଜ୍‌ ପାଇଁ ଇଡ୍‌କୋ ତରଫରୁ ଜିଲା କର୍ତ୍ତୃପକ୍ଷଙ୍କୁ ଆବେଦନ କରାଯାଇଛି। ଏହାଛଡ଼ା ପର୍ଯ୍ୟଟନ ବିଭାଗ ତରଫରୁ ଭିତରକନିକା ମାଷ୍ଟର ପ୍ଲାନ୍‌ ମାଧ୍ୟମରେ ଉକ୍ତ ଅଞ୍ଚଳର ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ କରିବା ସହ ପେଣ୍ଠ ବେଳାଭୂମି ନିକଟରେ ଥିବା ସରକାରୀ ଜମିଗୁଡ଼ିକର ବିକାଶ ନିମନ୍ତେ ପ୍ରୟାସ କରାଯାଇଛି। ଅତିରିକ୍ତ ପ୍ରଶ୍ନରେ ବିଧାୟକ ନାଉରୀ ନାୟକ, ପ୍ରଶାନ୍ତ ବେହେରା, ତାରା ପ୍ରସାଦ ବାହିନୀପତି, ସୁଧାଂଶୁ ଶେଖର ପରିଡ଼ା, କୁସୁମ ଟେଟେ, ଅମର ଶତପଥୀ ପ୍ରମୁଖ ରାଜ୍ୟରେ ଶିଳ୍ପ ସ୍ଥାପନ ଓ କୋଣାର୍କ ଝୋଟକଳ ସମେତ ବନ୍ଦ ହୋଇଥିବା ଶିଳ୍ପର ପୁନରୁଦ୍ଧାର ପାଇଁ ସରକାର କି ପଦକ୍ଷେପ ନେଉଛନ୍ତି ବୋଲି ପଚାରିଥିଲେ। ମନ୍ତ୍ରୀ କହିଥିଲେ, ବିଧାୟକମାନେ ନିଜ ଅଞ୍ଚଳରେ ଶିଳ୍ପ ପାଇଁ ପ୍ରସ୍ତାବ ଦେଲେ ତା’ ଉପରେ ସରକାର ବିଚାର କରିବେ। କେବଳ ଦାବି କଲେ ହେବନାହିଁ, ନିଜ ନିର୍ବାଚନ ମଣ୍ଡଳୀରେ ଜମି ଅଧିଗ୍ରହଣରେ ଯେପରି ସମସ୍ୟା ନ ହେବ ସେଥିପ୍ରତି ଦୃଷ୍ଟି ଦେବାକୁ ହେବ। ଏହା ହେଲେ ଶିଳ୍ପ ପ୍ରତିଷ୍ଠା ପାଇଁ ବିଭାଗ ପଦକ୍ଷେପ ନେବ। କୋଣାର୍କ ଝୋଟକଳ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଘରୋଇ ସଂସ୍ଥାକୁ ବିକ୍ରି କରିଦିଆଯାଇଛି। ତା’ ଉପରେ ରାଜ୍ୟ ସରକାରଙ୍କର କିଛି କରିବାର ନାହିଁ ବୋଲି ମନ୍ତ୍ରୀ କହିଛନ୍ତି।