ଜିଲାରେ ୧ଲକ୍ଷ ୨୯ହଜାର ୧୪୮ ନିର୍ମାଣ ଶ୍ରମିକ ପଞ୍ଜୀକୃତ

ବାରିପଦା ଅଫିସ,୧ା୫: ମୟୂରଭଞ୍ଜ ଜିଲା ପ୍ରଶାସନ ଓ ଜିଲା ଶ୍ରମ କାର୍ଯ୍ୟାଳୟ ଓଟଦ ଆନୁକୂଲ୍ୟରେ ବାରିପଦା ମୁର୍ଗାବାଡିସ୍ଥିତ ପ୍ରୟାସ ସମ୍ମିଳନୀ କକ୍ଷରେ ଜିଲା ସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ ହୋଇଛି । ମୁଖ୍ୟ ଅତିଥି ଭାବେ ମହିଳା ଓ ଶିଶୁ ବିକାଶ ତଥା ମିଶନଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ, ସମ୍ମାନିତ ଅତିଥି ଭାବେ ଜିଲା ପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦା, ସାରସକଣା ବିଧାୟକ ଡା ବୁଢାନ ମୁର୍ମୁ, ମୋରଡ଼ା ବିଧାୟକ ରାଜ କିଶୋର ଦାସ, ଜିଲା ଆଇନ ସେବା ପ୍ରାଧିକରଣର ସଚିବ ଓ ଜିଲା ଶିଶୁ ସୁରକ୍ଷା ଅଧିକାରିଣୀ ମମତାମୟୀ ବିଶ୍ବାଳ ପ୍ରମୁଖ ଉପସ୍ଥିତ ଥିଲେ। ଜିଲାରେ କୋଠାବାଡ଼ି ଓ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ପକ୍ଷରୁ ୧ଲକ୍ଷ ୨୯ହଜାର ୧୪୮ ନିର୍ମାଣ ଶ୍ରମିକଙ୍କୁ ପଞ୍ଜୀକୃତ କରି ମୋଟ୍‌ ୫୭ହଜାର ୭୭୩ ଜଣଙ୍କୁ ୩୫କୋଟି ୧୭ଲକ୍ଷ ୬୮ହଜାର ୩୪୦ଟଙ୍କା ସହାୟତା ରାଶି ଯୋଗାଇ ଦିଆଯାଇଛି। ଚଳିତ ବର୍ଷ ଅନ୍‌ଲାଇନ ଯୋଗେ ୨୧୩୯ ନିର୍ମାଣ ଶ୍ରମିକଙ୍କୁ ପଞ୍ଜୀକୃତ,୧୯୧୦ ନବୀକରଣ ଓ ୧୯୩୬ଜଣ ହିତାଧିକାରୀଙ୍କୁ ମୋଟ୍‌ ୭୧କୋଟି ୪୬ ଲକ୍ଷ୧୮ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି। ଏହି ଅବସରରେ ୧୦୦ ହିତାଧିକାରୀଙ୍କୁ ଶ୍ରମିକ ପଞ୍ଜୀକରଣ ପତ୍ର ଓ ମୋଟ ଏକ ହଜାର ପଞ୍ଜୀକୃତ ହିତାଧିକାରୀଙ୍କୁ ମୋଟ ୩ କୋଟି ୭ଲକ୍ଷ ୮୨ ହଜାର ଟଙ୍କା ପ୍ରଦାନ କରାଯାଇଛି। ବିଗତ ବର୍ଷରେ ଜିଲା ପ୍ରଶାସନ ପକ୍ଷରୁ ଟାସ୍କଫୋର୍ସ ଗଠନ କରାଯାଇ ୧୧ ଶିଶୁ ଶ୍ରମିକ ଓ ଜଣେ କିଶୋର ଶ୍ରମିକଙ୍କୁ ଉଦ୍ଧାର କରାଯାଇ ସେମାନଙ୍କୁ ସାମାଜିକ, ଅର୍ଥନୈତିକ, ଶିକ୍ଷାଗତ ଥଇଥାନ କରାଯାଇଛି । ଏହା ସହିତ ସେମାନଙ୍କ ପରିବାରକୁ ବିଭିନ୍ନ ପ୍ରକାର ସରକାରୀ ସାହାଯ୍ୟ ଯୋଗାଇ ଦାରିଦ୍ର୍ୟତା ଦୂରୀକରଣ କରାଯାଇଛି ବୋଲି ସୂଚନା ପ୍ରଦାନ କରିଛନ୍ତି ।