ରାଜଧାନୀରୁ ୧.୩୦ କେଜି ଗଞ୍ଜେଇ ଜବତ: ୨ ଗିରଫ

ଭୁବନେଶ୍ୱର,୨୨।୫(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ସୋମବାର ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି। ଏଥିସହ ୨ ଚୋରା ଚାଲାଣକାରୀଙ୍କୁ କମିଶନରେଟ ପୋଲିସ ଗିରଫ କରିଛି। ଅଭିଯୁକ୍ତଦ୍ୱୟ ହେଲେ ରାୟଗଡ଼ା ଜିଲାର ବିନାୟକ ରାଉତ (୨୮) ଓ ନୟାଗଡ଼ର ସୃଜନ ବେହେରା (୨୭)। ଏମାନଙ୍କଠାରୁ ୧ କୁଇଣ୍ଟାଲ ୩୦ କେଜି ୬୮୫ ଗ୍ରାମ ଗଞ୍ଜେଇ ଓ ବ୍ୟବହୃତ କାର୍‌ (ନଂ. ଓଡି ୦୨ କ୍ୟୁ ୦୩୬୩)କୁ ପୋଲିସ ଜବତ କରିଛି। ଜବତ ଗଞ୍ଜେଇର ମୂଲ୍ୟ ୧୦ ଲକ୍ଷ ଟଙ୍କାରୁ ଅଧିକ ହେବ। ଏନେଇ ନୟାପଲ୍ଲୀ ଥାନାରେ ଏକ ମାମଲା (ନଂ. ୨୦୨/୨୩) ରୁଜୁ ସହ ଅଭିଯୁକ୍ତଦ୍ୱୟଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଅପରପକ୍ଷେ ଗିରଫ ଅଭିଯୁକ୍ତ ଦ୍ୱୟ କେତେଦିନ ହେଲା ଏହି କାରବାରରେ ଜଡ଼ିତ, କେଉଁଠାରୁ ଗଞ୍ଜେଇ ଆଣୁଥିଲେ, କାହା ନିକଟକୁ ଚାଲାଣ କରୁଥିଲେ ଏବଂ ଏହି ଘଟଣାରେ ଆଉ କେଉଁମାନେ ସମ୍ପୃକ୍ତ ସେ ନେଇ ତଦନ୍ତ ଜାରି ରହିଛି। ଏ ନେଇ ତଥ୍ୟ ମିଳିବା ପରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଖବରଦାତା ସମ୍ମିଳନୀରେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି।
ସୂଚନାନୁଯାୟୀ, ବିନାୟକ ଓ ସୃଜନ ଫୁଲବାଣୀରୁ ଗଞ୍ଜେଇ ସଂଗ୍ରହ କରି ଏକ ଧଳା ଇନୋଭା କାର୍‌ ଯୋଗେ ଭୁବନେଶ୍ୱର ଭାୟା ଦେଇ ପଶ୍ଚିମବଙ୍ଗ ଯାଉଥିଲେ। ଏ ନେଇ ନୟାପଲ୍ଲୀ ଥାନା ପୋଲିସ ବିଶେଷ ସୂତ୍ରରୁ ଖବର ପାଇବା ପରେ ଉକ୍ତ କାରକୁ ଧରିବା ଲାଗି ଏକ ଟିମ୍‌ ଗଠନ କରି ଜାଲ ବିଛାଇଥିଲା। ସିଆର୍‌ପିଏଫ୍‌ ଛକ ନିକଟରେ ପୋଲିସ ଉକ୍ତ କାରକୁ ଅଟକାଇ ଯାଞ୍ଚ କରିବାରୁ ୮ଟି ବସ୍ତାରେ ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲା। ଫଳରେ ପୋଲିସ କାର୍‌ ଓ ଗଞ୍ଜେଇକୁ ଜବତ କରିବା ସହ ଚୋରା ଚାଲାଣକାରୀ ଦ୍ୱୟଙ୍କୁ ଗିରଫ କରିଥିଲା। ସେହିପରି ଗତ ୧୭ ତାରିଖରେ ୨ଜଣ ନିଶାବେପାରୀ ୧ କୁଇଣ୍ଟାଲ ୪୦ କେଜି ଗଞ୍ଜେଇକୁ ଏକ କୁଣ୍ଡା ଓ ନଡ଼ିଆକତା ଭର୍ତ୍ତି ଆଇଚର ଗାଡ଼ିରେ ଗଞ୍ଜାମରୁ ପୁରୀକୁ ଚୋରା ଚାଲାଣ କରୁଥିବାବେଳେ ମଞ୍ଚେଶ୍ୱର ଥାନା ପୋଲିସ ହାତରେ ଧରାପଡ଼ିଥିଲେ। ନିଶା ବେପାରୀମାନେ ଭୁବନେଶ୍ୱର ଦେଇ ଗଞ୍ଜେଇ ଚୋରାଚାଲାଣ କରୁଥିବା ଏଥିରୁ ସ୍ପଷ୍ଟ ହେଉଛି।