୨୦୨୦ରେ ଯାଇଛି ୧.୨୦ ଲକ୍ଷ ଜୀବନ

ନୂଆଦିଲ୍ଲୀ, ୨୦।୯(ପି.ଟି.): ଗତବର୍ଷ କୋଭିଡ୍‌-୧୯ ଲକ୍‌ଡାଉନ ସତ୍ତ୍ୱେ ସଡ଼କ ଦୁର୍ଘଟଣା ଜନିତ କାରଣରୁ ଦେଶରେ ୧.୨୦ ଲକ୍ଷ ଲୋକଙ୍କ ଜୀବନ ଯାଇଛି, ଅର୍ଥାତ ଦିନକୁ ହାରାହାରି ୩୨୮ ଜଣଙ୍କ ମୃତ୍ୟୁ ଘଟିଛି। ସରକାରୀ ତଥ୍ୟ ଅନୁଯାୟୀ ଗତ ୩ ବର୍ଷରେ ମୋଟ ୩.୯୨ ଲକ୍ଷ ଲୋକଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି) ପକ୍ଷରୁ ପ୍ରକାଶିତ ୨୦୨୦ର କ୍ରାଇମ୍‌ ଇଣ୍ଡିଆ ରିପୋର୍ଟରୁ ଏହା ଜଣାପଡ଼ିଛି। ୨୦୧୯ରେ ୧.୩୬ ଲକ୍ଷ ଏବଂ ୨୦୧୮ରେ ୧.୩୫ ଲକ୍ଷ ଲୋକଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ଏହା ବ୍ୟତୀତ ୨୦୧୮ରୁ ୩ ବର୍ଷରେ ମୋଟ ୧.୩୫ ଲକ୍ଷ ହିଟ୍‌ ଆଣ୍ଡ ରନ୍‌ ମାମଲା ରୁଜୁ ହୋଇଛି। ଗତବର୍ଷ ୪୧,୧୯୬ ହିଟ୍‌ ଆଣ୍ଡ ରନ୍‌ ମାମଲା ହୋଇଥିବାବେଳେ ୨୦୧୯ରେ ୪୭,୫୦୪ ଏବଂ ୨୦୧୮ରେ ୪୭,୦୨୮ଟି ଏଭଳି ମାମଲା ରୁଜୁ ହୋଇଥିବା ଏନ୍‌ସିଆରବି ରିପୋର୍ଟରୁ ଜଣାପଡ଼ିଛି। ବେପରୁଆ ଗାଡ଼ି ଚଳାଇ ଅନ୍ୟକୁ ଆଘାତ ଦେବା ଅଭିଯୋଗରେ ଗତବର୍ଷ ୧.୩୦ ଲକ୍ଷ ମାମଲା ରୁଜୁ ହୋଇଛି, ଯାହାକି ୨୦୧୯ରେ ୧.୬୦ ଲକ୍ଷ ଏବଂ ୨୦୧୮ରେ ୧.୬୬ ଲକ୍ଷ ଥିଲା। ୩ ବର୍ଷରେ ଗୁରୁତର ଆହତ ଘଟଣା ଯଥାକ୍ରମେ ୮୫,୯୨୦, ୧.୧୨ ଲକ୍ଷ ଏବଂ ୧.୦୮ ଲକ୍ଷ ରହିଛି।
ରେଳ ଦୁର୍ଘଟଣାରେ ୫୨ ଜଣଙ୍କ ମୃତ୍ୟୁ ହୋଇଛି, ଯାହାକି ୨୦୧୯ରେ ୫୫ ଏବଂ ୨୦୧୮ରେ ୩୫ ଥିଲା। ଚିକିତ୍ସା ଅବହେଳାଜନିତ ମୃତ୍ୟୁକୁ ନେଇ ଗତବର୍ଷ ୧୩୩ ମାମଲା ରୁଜୁ ହୋଇଛି, ଯାହାକି ୨୦୧୯ରେ ୨୦୧ ଏବଂ ୨୦୧୮ରେ ୨୧୮ ଥିଲା। ଅନ୍ୟାନ୍ୟ ଅବହେଳା କାରଣରୁ ୨୦୨୦ରେ ଅନ୍ୟ ୬,୩୬୭ ଜଣଙ୍କ ମୃତ୍ୟୁ ହୋଇଛି। ୨୦୧୯ରେ ଏଭଳି ମୃତ୍ୟୁସଂଖ୍ୟା ୭,୯୧୨ ଏବଂ ୨୦୧୮ରେ ୮,୬୮୭ ଥିଲା। ଗତବର୍ଷ ମାର୍ଚ୍ଚ ୨୫ରୁ ମେ’ ୩୧ ପର୍ଯ୍ୟନ୍ତ ଦେଶରେ ସମ୍ପୂର୍ଣ୍ଣ ଲକ୍‌ଡାଉନ ଥିବାରୁ ଗାଡ଼ିମୋଟର ଚଳାଚଳ ଯଥେଷ୍ଟ କମ୍‌ ଥିଲା। ସେଥିପାଇଁ ମହିଳା, ଶିଶୁ, ବରିଷ୍ଠ ନାଗରିକଙ୍କ ପ୍ରତି ଅପରାଧ ମାମଲା କମ୍‌ ଥିଲା। ସେହିପରି ଚୋରି, ଡକାୟତି ମାମଲା ମଧ୍ୟ କମିଥିଲା। ତେବେ କୋଭିଡ୍‌ କଟକଣା ଅବମାନନା କରିବା ନେଇ ଅଧିକ ମାମଲା ରୁଜୁ ହୋଇଥିଲା ବୋଲି ରିପୋର୍ଟରେ କୁହାଯାଇଛି।

Share