ରାସ୍ତାରେ ୧୦୮ ଆମ୍ବୁଲାନ୍ସ ପଙ୍କଚର, ରୋଗୀ ହଇରାଣ

ଖୋର୍ଦ୍ଧା ଅଫିସ,୨୯।୪: ରୋଗୀଙ୍କୁ ଉତ୍ତମ ସେବା ପ୍ରଦାନ ଲାଗି ସରକାର ଗୁରୁତ୍ୱ ଦେଉଛନ୍ତି। ଗୁରୁତର ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ଲାଗି କେନ୍ଦ୍ର ସରକାରଙ୍କ ସହଯୋଗରେ ରାଜ୍ୟ ସରକାରଙ୍କ ସହଭାଗିତାରେ ୧୦୮ ଆମ୍ବୁଲାନ୍ସ ସେବା ଚାଲିଛି। ରୋଗୀଙ୍କୁ ୨୪ ଘଣ୍ଟିଆ ସେବା ଯୋଗାଉଛି। ତେବେ ଏହି ଆମ୍ବୁଲାନ୍ସ ଗୁଡିକର ଯନ୍ତ୍ରାଂଶକୁ ନିୟମିତ ଯାଞ୍ଚ କରାଯାଉ ନ ଥିବାରୁ ବିଭିନ୍ନ ସମୟରେ ରୋଗୀ ହଇରାଣ ହେଉଥିବା ନଜିର ରହିଛି। ଶୁକ୍ରବାର ମଧ୍ୟାହ୍ନରେ ଖୋର୍ଦ୍ଧା ନିକଟ ପୋଡାପୁଟ ଗ୍ରାମର ପଠାଣି ବାରିକ (୮୫)ଙ୍କ ଚିକିତ୍ସା ପାଇଁ ପରିବାର ଲୋକେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଡାକ୍ତର ଏମ୍ସ ରେଫର କରିଥିଲେ। ୧୦୮ଆମ୍ବୁଲାନ୍ସ(ଓଡି ୦୨ବିଜେ ୯୭୩୭)ରେ ଖୋର୍ଦ୍ଧା ମେଡିକାଲରୁ ଏମ୍ସକୁ ଯାଉଥିଲେ। ଗଡ଼ଖୋର୍ଦ୍ଧା ଛକ ନିକଟରେ ଗାଡିର ପଛ ଚକ ହଠାତ୍‌ ପଙ୍କଚର ହୋଇଯାଇଥିଲା। ତେବେ ଏକ ଦୃର୍ଘଟଣା ଏଡାଇ ଯାଇଥିବା ବେଳେ ରୋଗୀ ପ୍ରାୟ ଏକ ଘଣ୍ଟା ଧରି ସେଠାରେ ରୋଗୀ ଓ ସମ୍ପର୍କୀୟ ଫସିରହିଲେ। ଫଳରେ ରୋଗୀଙ୍କ ସମ୍ପର୍କୀୟ ଅନ୍ୟ ଏକ ଆମ୍ବୁଲାନ୍ସ ପାଇଁ ୧୦୮କୁ ଯୋଗାଯୋଗ କରିଥିଲେ। ଆମ୍ବୁଲାନ୍ସ ପହଞ୍ଚିବାରେ ବିଳମ୍ବ ହେବ କିମ୍ବା ଅନ୍ୟ ଗାଡ଼ିରେ ନେଇଯାଆନ୍ତୁ ବୋଲି କହିଥିଲେ। ଦୀର୍ଘ ସମୟ ପରେ ଅନ୍ୟ ଏକ ଆମ୍ବୁଲାନ୍ସ ପହଞ୍ଚି ରୋଗୀଙ୍କୁ ଏମ୍‌ସ ନେଇଥିଲେ। ଏନେଇ ମୁଖ୍ୟ ଚିକିତ୍ସା ଅଧିକାରୀ ଆର୍ତ୍ତବନ୍ଧୁ ନାୟକ କୁହନ୍ତି, ଏଭଳି ଘଟଣା ଘଟିବା ଦୁଃଖର ବିଷୟ। ଏହା ଉପରେ ତଦନ୍ତ କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯିବ। ପ୍ରକାଶ ଯେ, ଖୋର୍ଦ୍ଧା ମେଡିକାଲରୁ ପ୍ରାୟ ରୋଗୀଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଉଛି। ତେଣୁ ଏଭଳି ଆଗକୁ ଯେପରି ନ ଘଟିବ ସେଥିପାଇଁ ସ୍ବାସ୍ଥ୍ୟ ବିଭାଗ ଓ ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ଜରୁରୀ ହୋଇ ପଡିଛି।