ଜାତିସଂଘରେ ହେବ ୧୦୦ ତମ ମନ କି ବାତର ସିଧା ପ୍ରସାରଣ…

ନୂଆଦିଲ୍ଲୀ/ନ୍ୟୁୟର୍କ,୨୯।୪ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି (ଏପ୍ରିଲ ୩୦)ରେ ୧୦୦ ତମ ଥର ପାଇଁ ଦେଶବାସୀଙ୍କ ସହ ‘ମନ କି ବାତ’ କରିବେ। ରେଡିଓ କାର୍ଯ୍ୟକ୍ରମ ମନ କି ବାତର ୧୦୦ ତମ ଏପିସୋଡ ଆସନ୍ତାକାଲି ମିଳିତ ଜାତିସଂଘ (ଜାତିସଂଘ) ମୁଖ୍ୟାଳୟରେ ମଧ୍ୟ ସିଧା ପ୍ରସାରଣ ହେବ। ଏ ସମ୍ପର୍କରେ ଜାତିସଂଘରେ ଭାରତର ସ୍ଥାୟୀ ମିଶନ ଶନିବାର ଟୁଇଟ କରିଛନ୍ତି। ଏହା ଏକ ଐତିହାସିକ ମୁହୂର୍ତ୍ତ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ମିଳିତ ଜାତିସଂଘର ହେଡ କ୍ୱାର୍ଟରରେ ଟ୍ରଷ୍ଟିଶିପ କାଉନସିଲ ଚାମ୍ବରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ‘ମନ କି ବାତ’ କାର୍ଯ୍ୟକ୍ରମର ସିଧା ପ୍ରସାରଣ ହେବ।

ନ୍ୟୁୟର୍କରେ ମିଳିତ ଜାତିସଂଘ ମୁଖ୍ୟାଳୟରେ ସ୍ଥାନୀୟ ସମୟ ଅନୁଯାୟୀ ମନ କି ବାତ ରାତି ସାଢ଼େ ଗୋଟାଏରେ ପ୍ରସାରିତ ହେବ। ମିଳିତ ଜାତିସଂଘରେ ପ୍ରଥମ ଥର ପାଇଁ ଏହିପରି କୌଣସି କାର୍ଯ୍ୟକ୍ରମ ସିଧା ପ୍ରସାରଣ ହେବ। କନସୁଲେଟ ଜେନେରାଲ ଅଫ ଇଣ୍ଡିଆ ମଧ୍ୟ ଆମେରିକା ତଥା ନ୍ୟୁ ଜର୍ସିରେ ଥିବା ଡାଏସପୋରାର ସଦସ୍ୟମାନଙ୍କ ପାଇଁ ମନ କି ବାତ ଶୁଣିବାକୁ ବ୍ୟବସ୍ଥା କରିବେ। ‘ମନ କି ବାତ’ କାର୍ଯ୍ୟକ୍ରମ କେବଳ ଜାତିସଂଘରେ ନୁହେଁ ବରଂ ବିଶ୍ୱର ଅନେକ ଦେଶରେ ସିଧା ପ୍ରସାରିତ ହେବ। ଏକ ରିପୋର୍ଟରେ କୁହାଯାଇଛି, ଏହି କାର୍ଯ୍ୟକ୍ରମର ଅଧିକରୁ ଅଧିକ ଦେଶରେ ଲାଇଭ ଶୁଣିବା ପାଇଁ ବ୍ୟବସ୍ଥା କରାଯିବ, କାରଣ ପ୍ରଧାନମନ୍ତ୍ରୀ ମୋଦି ଜଣେ ଅନ୍ତର୍ଜାତୀୟ ନେତା ଏବଂ ସାରା ବିଶ୍ୱରେ ଲୋକମାନେ ତାଙ୍କ କାର୍ଯ୍ୟ ପାଇଁ ତାଙ୍କୁ ପ୍ରଶଂସା କରୁଛନ୍ତି।

ସୂଚନାଯୋଗ୍ୟ, ମନ କି ବାତର ୧୦୦ ତମ ଏପିସୋଡର ପ୍ରସାରଣ ଆସନ୍ତାକାଲି ରବିବାର ପୂର୍ବାହ୍ନ ୧୧ ଟାରେ ଅଲ ଇଣ୍ଡିଆ ରେଡିଓ ଏବଂ ଦୂରଦର୍ଶନର ସମସ୍ତ ଚ୍ୟାନେଲରେ କରାଯିବ।

Share