Categories: ଜାତୀୟ

‘ଅସାନି’ ଆସିବା ପୂର୍ବରୁ ଭୂକମ୍ପ ଝଟ୍‌କା…

ନୂଆଦିଲ୍ଲୀ୨୧।୩ : ବର୍ଷର ପ୍ରଥମ ସାଇକ୍ଲୋନିକ ଝଡ ‘ଅସାନି’ ଧୀରେ ଧୀରେ ଉପକୂଳବର୍ତ୍ତୀ ଅଞ୍ଚଳ ଆଡକୁ ଗତି କରୁଛି। ରବିବାର ଏହା ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ପହଞ୍ଚିଥିଲା। ଏପରିସ୍ଥଳେ ସୋମବାର ସକାଳେ ଏଠାରେ ଭୂକମ୍ପର କମ୍ପନ ମଧ୍ୟ ଅନୁଭୂତ ହୋଇଛି।

ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୩ ଥିଲା ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଏଥି ସହିତ ରବିବାର ଠାରୁ ପ୍ରବଳ ବର୍ଷା ଓ ପବନ ଯୋଗୁଁ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର କିଛି ଅଞ୍ଚଳରେ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି।

ସାଇକ୍ଲୋନିକ ଝଡ଼ର ତୀବ୍ରତାକୁ ଦୃଷ୍ଟିରେ ରଖି ଆଣ୍ଡାମାନ ଏବଂ ନିକୋବରରେ ସତର୍କ ସୂଚନା ଜାରି କରାଯାଇଛି ଏବଂ ଏନଡିଆରଏଫ୍‌ ଦଳଙ୍କୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛିି। ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ଏହା ସହିତ ଜାହାଜ ସେବାକୁ ମଧ୍ୟ ବନ୍ଦ କରାଯାଇଛି। ଏଠାରେ ୬ ଟି ରିଲିଫ କ୍ୟାମ୍ପ ପ୍ରତିଷ୍ଠା କରାଯାଇଛି। ଏହା କୁହାଯାଉଛି ଯେ ଆଣ୍ଡାମାନର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ପବନ ପ୍ରବାହିତ ହେଉଛି।

ପାଣିପାଗ ବିଶେଷଜ୍ଞମାନେ କହିଛନ୍ତି ଯେ ସାଇକ୍ଲୋନିକ ଝଡ ’ଅସାନି’ ବାଂଲାଦେଶ ଏବଂ ମ୍ୟାନ୍‌ମାର ଉପକୂଳ ଆଡକୁ ଯାଇପାରେ। ତେବେ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସତର୍କ ସୂଚନା ଜାରି କରାଯାଇଛି।

ସାଇକ୍ଲୋନିକ ଝଡ଼ ଯୋଗୁଁ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ପର୍ଯ୍ୟଟନ କାର୍ଯ୍ୟକଳାପ ବନ୍ଦ ହୋଇଯାଇଛି। ପର୍ଯ୍ୟଟକମାନଙ୍କୁ ସୁରକ୍ଷିତ ସ୍ଥାନକୁ ଯିବାକୁ କୁହାଯାଇଛି। ଯେଉଁମାନଙ୍କ ଘରକୁ ସ୍ଥାନାନ୍ତର କରାଯାଇଛି ସେମାନଙ୍କୁ କ୍ୟାମ୍ପରେ ସ୍ଥାନ ଦିଆଯାଇଛି। ଏହା ବ୍ୟତୀତ ଖାଦ୍ୟ, ପାନୀୟ ଜଳ ଏବଂ ଔଷଧ ପାଇଁ ଉପଯୁକ୍ତ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Share