Categories: ଖେଳ

ଖେଳାଳିଙ୍କ ପାଇଁ ୨.୫ କୋଟି, ଚାକିରି, ଜମି

ନୂଆଦିଲ୍ଲୀ,୫।୮: ଗୁରୁବାର ଭାରତୀୟ ପୁରୁଷ ହକି ଦଳ ୫-୪ ଗୋଲରେ ଜର୍ମାନୀକୁ ହରାଇ ଟୋକିଓ ଅଲିମ୍ପିକ୍ସରେ ହାତେଇଛି ବ୍ରୋଞ୍ଜ ପଦକ। ଏହି ଐତିହାସିକ ବିଜୟ ପରେ ଖେଳାଳିଙ୍କ ପାଇଁ ପୁରସ୍କାର ଘୋଷଣା କରିଛନ୍ତି ବିଭିନ୍ନ ରାଜ୍ୟ। ହରିୟାଣା ତା’ର ଖେଳାଳିଙ୍କୁ ୨.୫ କୋଟି ଟଙ୍କା ଦେବାକୁ ଥିବା ବେଳେ ମଧ୍ୟପ୍ରଦେଶ ୧ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛି।

ପୂର୍ବରୁ ପଞ୍ଜାବ ସରକାର ଖେଳାଳିଙ୍କ ପାଇଁ ପୁରସ୍କାର ରାଶି ଘୋଷଣା କରିସାରିଛି। ୧୮ ଜଣିଆ ଟିମ୍‌ ଇଣ୍ଡିଆରେ ରହିଛନ୍ତି ପଞ୍ଜାବର ୧୦ ଜଣ ଖେଳାଳି। ଏଥିରେ ସାମିଲ ଅଛନ୍ତି ଡବଲ ଗୋଲ ସ୍କୋରର ସିମରନଜିତ୍‌ ସିଂ।

ହରିୟାଣା ସରକାରଙ୍କ ପକ୍ଷରୁ ମୁଁ ଘୋଷଣା କରୁଛି ଯେ, ଭାରତୀୟ ହକି ଦଳର ଦୁଇ ସଦସ୍ୟଙ୍କୁ ୨.୫ କୋଟି ଲେଖାଏ ଟଙ୍କା ପ୍ରଦାନ କରାଯିବ। ତା’ ସହିତ କ୍ରୀଡ଼ା ବିଭାଗରେ ଚାକିରି ଓ ରିହାତି ହାରରେ ଜମି ପ୍ରଦାନ କରାଯିବ ବୋଲି ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଟୁଇଟ୍‌ କରିଛନ୍ତି।

ମଧ୍ୟପ୍ରଦେଶର ବିବେକ ସାଗର ଓ ନିଲକାନ୍ଥାଙ୍କୁ ୧ କୋଟି ଲେଖାଏ ଟଙ୍କା ଦିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ। ଦୀର୍ଘ ୪୧ ବର୍ଷ ପରେ ଭାରତୀୟ ହକି ଦଳ ଅଲିମ୍ପିକ୍ସ ପଦକ ଜିତିବା ପରେ ପଞ୍ଜାବରେ ଏବେ ଖୁସିର ମାହୋଲ। ରାସ୍ତାରେ ଖେଳାଳିଙ୍କ ପରିବାରବର୍ଗ ଖୁସିରେ ନାଚୁଛନ୍ତି। ପ୍ରଶଂସକମାନେ ଜାତୀୟ ପତାକା ଧରି ବୁଲୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି।

Share