୯ ଶିଶୁ ଶ୍ରମିକ ଉଦ୍ଧାର

କେନ୍ଦୁଝର, ୩୧ା୭ (ସ୍ବ.ପ୍ର.)-ମଙ୍ଗଳବାର ଅପରାହ୍ବରେ ଏକ ଘରୋଇ ବସ ଉପରେ ଚଢାଉ କରି ଶ୍ରମ ବିଭାଗ ନାବାଳିକା ଶିଶୁ ଶ୍ରମିକଙ୍କୁ ସ୍ଥାନୀୟ ପୋଲିସ ସହାୟତାରେ ଉଦ୍ଧାର କରିଛନ୍ତି। ସେମାନଙ୍କ ଘର ବାଂଶପାଳ ବ୍ଲକ ଶାଗପାଳି ଅଞ୍ଚଳରେ ବୋଲି ଜଣାପଡିଛି ା ଏହି ଘଟଣାରେ ସେମାନଙ୍କୁ ନେଇ ଯାଉଥିବା ଗୋଲକ ଭାରତୀ ନାମକ ଜଣେ ମହିଳାଙ୍କୁ ଅଟକ ରଖି ପଚରାଉଚରା କରାଯାଉଥିବା ଜଣାପଡିଛି ା ସେମାନେ ବସରେ ପାଣିକୋଇଲି ନିକଟ ଉଚିଣ୍ଡା ଗ୍ରାମକୁ କାମ କରିବାକୁ ଯାଉଥିଲେ ବୋଲି ପ୍ରାଥମିକ ସୂଚନାରୁ ଜଣାପଡିଛି ା ସେମାନଙ୍କୁ ବିଲରେ ଚାଷ କାମ ପାଇଁ ନେଉଥିଲେ ବୋଲି ସେମାନଙ୍କୁ ନେଇ ଯାଉଥିବା ଅଟକ ମହିଳା କହିଛନ୍ତି। କାମଧନ୍ଦା ମିଳୁ ନ ଥିବାରୁ ଏବଂ ଅଭାବ ଅନଟନରେ ରହିଥିବା ବହୁ ଗରିବ ଆଦିବାସୀ ଶିଶୁ ପାଠ ପଢା ଛାଡି ଏଭଳି ବାହାରକୁ କାମ କରିବାକୁ ବା ଦାଦନ ଖଟିବାକୁ ଯାଉଛନ୍ତି। ହାତ ଗଣତି କେତେକ ଘଟଣା ଧରା ପଡୁଥିଲେ ହେଁ ବହୁ ଘଟଣା ଧରାପଡୁନାହିଁ ା ସେହିପରି ଏସବୁ ବେଆଇନ କାମ କରାଉଥିବା ଦଦାଲ ମାନଙ୍କ ବିରୋଧରେ କୋଠର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବାରୁ ଶିଶୁ ଶ୍ରମିକ ଚାଲାଣ ଅବାଧରେ ଚାଲିଛି ବୋଲି ଶିଶୁ ସୁରକ୍ଷା କର୍ମୀ ମାନେ ମତବ୍ୟକ୍ତ କରୁଛନ୍ତି। ଜିଲା ଶ୍ରମ କାର୍ଯ୍ୟାଳୟରେ ଥିବା ଗ୍ରାମୀଣ ଶ୍ରମ ନିରୀକ୍ଷକ କୁମୁଦିନି କବିତା ହେମ୍ବ୍ରମ, ଭରତ ଚନ୍ଦ୍ର ଦାସ ଓ ବୃନ୍ଦାବନ ଜୁଆଙ୍ଗ ଖବରପାଇ ଉକ୍ତ ବସରୁ ଅପରାହ୍ନ ସାଢ଼େ ୪ଟାରେ ଶିଶୁଙ୍କୁ ଉଦ୍ଧାର କରି ଶିଶୁ ଗୃହକୁ ପଠାଇଥିବା ଜଣାପଡିଛି ା