ନୂଆଦିଲ୍ଲୀ,୧୫ା୮(ପି.ଟି.): ୮୦ତମ ସ୍ବାଧୀନତା ଦିବସର ଦିନକ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ୭୮ଟି ସାହସିକତା ପୁରସ୍କାରକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ସେଥିରୁ ୧୩ଟି ପୁରସ୍କାର ମରଣୋତ୍ତର ଭାବେ ପ୍ରଦାନ କରାଯିବ। ଉକ୍ତ ପୁରସ୍କାର ମଧ୍ୟରେ ୯ଟି କୀର୍ତ୍ତି ଚକ୍ର, ୧୯ ଶୌର୍ଯ୍ୟଚକ୍ର, ୫ ସେନା ପଦକର ବାର୍ ଏବଂ ୩୬ ସେନା ପଦକ ରହିଛି। ଅଶୋକ ଚକ୍ର ପରେ କୀର୍ତ୍ତିଚକ୍ର ଭାରତର ଦ୍ୱିତୀୟ ସର୍ବୋଚ୍ଚ ଶାନ୍ତି ସମୟର ବୀରତ୍ୱ ପୁରସ୍କାର ହୋଇଥିବାବେଳେ ଶୌର୍ଯ୍ୟଚକ୍ର ୩ୟ ସର୍ବୋଚ୍ଚ ବୀରତ୍ୱ ପୁରସ୍କାର। କୀର୍ତ୍ତି ଚକ୍ର ପାଇବାକୁ ଥିବା ଯବାନଙ୍କ ମଧ୍ୟରେ ଲ୍ୟୁଟ୍ନାଣ୍ଟ କଲୋନେଲ ମନୋଜ ଫ୍ରାନ୍ସିସ୍ ଏବଂ ମେଜର ଜିତେନ୍ଦ୍ର ରାଠି ରହିଛନ୍ତି। ଅନ୍ୟ ୭ କୀର୍ତ୍ତିଚକ୍ର ମରଣୋତ୍ତର ଭାବେ ପ୍ରଦାନ କରାଯିବ। ସେମାନଙ୍କ ମଧ୍ୟରେ ଅଛନ୍ତି ହାବିଲଦାର ଗଜେନ୍ଦ୍ର ସିଂ, ହେଡ୍ କନ୍ଷ୍ଟେବଲ ଜଗବୀର ସିଂ ଏବଂ ବଶିର ଅହମଦ, କନଷ୍ଟେବଲ ଯଶଓ୍ବନ୍ତ ସିଂ, ବଲବିନ୍ଦର ସିଂ, ତାରିକ୍ ହୁସେନ୍ ଏବଂ ଇନ୍ସପେକ୍ଟର ସୁନିଲ କୁମାର। ଏହା ବ୍ୟତୀତ ସିଆର୍ଫିଏଫ୍କୁ ୨୪ଟି ବୀରତ୍ୱ ମେଡାଲ, ଉଲ୍ଲେଖନୀୟ ସେବା ପାଇଁ ୫ ରାଷ୍ଟ୍ରପତି ପଦକ (ପିଏସ୍ଏମ୍), ଏବଂ ପ୍ରଶଂସନୀୟ ସେବା ପାଇଁ ୫୭ଟି ମେଡାଲ ମିଳିବାକୁ ଥିବା ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି। ସୀମା ସୁରକ୍ଷା ବଳ (ବିଏସ୍ଏଫ୍)କୁ ୨୦ଟି ବୀରତା ପଦକ ଏବଂ ୪୭ଟି ରାଷ୍ଟ୍ରପତି ଉଲ୍ଲେଖନୀୟ ସେବା ପଦକ ଓ ପ୍ରଶଂସନୀୟ ସେବା ପଦକ ମିଳିବ।

