Categories: ବାଣିଜ୍ୟ

୯୦,୩୯୫ କୋଟି ଋଣ ପ୍ରଦାନର ସମ୍ଭାବନା

ଭୁବନେଶ୍ୱର,୨୮-୧: ବର୍ଷ ୨୦୨୦-୨୧ ଲାଗି ରାଜ୍ୟର ଅଗ୍ରାଧିକାର କ୍ଷେତ୍ରଗୁଡିକୁ ପ୍ରାୟ ୯୦,୩୯୫ କୋଟି ଟଙ୍କାର ଋଣ ଯୋଗାଣ ନେଇ ସମ୍ଭାବନା ରହିଛି। ବ୍ୟାଙ୍କଗୁଡିକ ଏ ଦିଗରେ ନିଜର ଯୋଗଦାନ ରଖି ପାରିବେ। ଜାତୀୟ କୃଷି ତଥା ଗ୍ରାମୀଣ ବିକାଶ ବ୍ୟାଙ୍କ (ନାବାର୍ଡ) ପକ୍ଷରୁ ଏଠାରେ ଅନୁଷ୍ଠିତ ରାଜ୍ୟ କ୍ରେଡିଟ ସେମିନାର ୨୦୨୦-୨୧ ଅବସରରେ ପ୍ରକାଶିତ ଫୋକସ ପେପରରେ ଏହା ଉଲ୍ଲେଖ କରାଯାଇଛି। ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୁଜାରୀ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ। ପଶୁପାଳନ,କୁକୁଡା ପାଳନ, ମାଛ ଚାଷ ଭଳି ଅନ୍ୟାନ୍ୟ ଆନୁଷଙ୍ଗିକ କ୍ଷେତ୍ରଗୁଡିକୁ କୃଷି ଟର୍ମ ଋଣ ଫାଇନାନ୍ସ ପ୍ରଦାନ ଦିଗରେ ବ୍ୟାଙ୍କଗୁଡିକ କାର୍ଯ୍ୟକରିବାର ଆବଶ୍ୟକତା ରହିଛି ବୋଲି ସେ ଏଠାରେ ମତ ରଖିଛନ୍ତି।
ସେ କହିଛନ୍ତି ଯେ, ଏହା ଦ୍ୱାରା କୃଷକଙ୍କ ଆୟ ବଢାଇବା ଏବଂ ନୂଆ ସମ୍ପତ୍ତି ସୃଷ୍ଟିରେ ସହାୟକ ହେବ। ବ୍ୟାଙ୍କିଙ୍ଗ ସେବା ପହଞ୍ଚି ନଥିବା ସ୍ଥାନଗୁଡିକୁ ପହଞ୍ଚିବା ଲାଗି ସେ ବ୍ୟାଙ୍କଗୁଡିକୁ ଆହ୍ବାନ ଜଣାଇଛନ୍ତି। ଏହା ହେଲେ ରାଜ୍ୟ ସରକାର ହାତକୁ ନେଉଥିବା ବିଭିନ୍ନ କାର୍ଯ୍ୟକ୍ରମର ସଫଳ ରୂପାୟନ ଦିଗରେ ସହଯୋଗତା ବଢିବ। ସେହିଭଳି ଡିଜିଟାଲ ବ୍ୟାଙ୍କିଙ୍ଗ ଲାଗି ଏହା ଉନ୍ମୁକ୍ତ କରିବ। ଦେଶର ଏକ ରାଜ୍ୟ ଭାବେ ଓଡିଶାକୁ ଗଢି ତୋଳିବା ଲାଗି ସେ ସମସ୍ତ ଅଂଶୀଦାରଙ୍କ ସହାୟତା ଏହି ଅବସରରେ ଲୋଡିଥିଲେ।
ଅର୍ଥ ବିଭାଗ ପ୍ରମୁଖ ସଚିବ ଅଶୋକ କେ.କେ. ମୀନା କହିଛନ୍ତି ଯେ, ରାଜ୍ୟର ଦୁଇ ତୃତୀୟାଂଶ ଲୋକ କୃଷି ଏବଂ ଅନ୍ୟ ଆନୁଷଙ୍ଗିକ କାର୍ଯ୍ୟ ଉପରେ ନିର୍ଭର କରୁଥିବାରୁ ଏହି କ୍ଷେତ୍ରଗୁଡିକୁ ଋଣ ଯୋଗାଣର ସମ୍ଭାବନାକୁ ବିଚାର କରିବାକୁ ହେବ। ନାବାର୍ଡ ଏହାକୁ ଉପଲବ୍ଧି କରି ଆଣିଥିବା ଫୋକସ ପେପର ଅତ୍ୟନ୍ତ ଲାଭକାରି। ବ୍ୟାଙ୍କଗୁଡିକ ଏଫ୍‌ପିଓ ଏବଂ ଜେଏଲ୍‌ଜି ଫାଇନାନ୍ସିଂ ଉପରେ ଫୋକସ କରିବାକୁ ସେ ଆହ୍ବାନ ଜଣାଇଛନ୍ତି। ଗ୍ରାମାଞ୍ଚଳକୁ ଋଣ ଯୋଗାଣ ଧାରା ଉନ୍ନତ କରିବା ଦିଗରେ ବ୍ୟାଙ୍କିଙ୍ଗ ଶିଳ୍ପ ସହ ସରକାର ମିଳିତ ହୋଇ କାମ କରିବେ ବୋଲି ସେ ମତ ଦେଇଛନ୍ତି।କାର୍ଯ୍ୟକ୍ରମରେ ଆର୍‌ବିଆଇ ଆଞ୍ଚଳିକ ନିର୍ଦ୍ଦେଶକ ଏମ୍‌.କେ.ମଲ୍ଲ, ନାବାର୍ଡ ସିଜିଏମ୍‌ ଏ.ଚନ୍ଦ୍ରଶେଖର, ଏସ୍‌ବିଆଇ ସିଜିଏମ୍‌ ପ୍ରବୀଣା କାଲା, ଏସ୍‌ଏଲବିସି ଜିଏମ୍‌ ଏବଂ ଆବାହକ ସଞ୍ଜୟ କୁମାର ପ୍ରମୁଖ ଉପସ୍ଥିତ ଥିଲେ।

Share