୮ ଶିଳ୍ପୀଙ୍କୁ ପୁରସ୍କୃତ କଲେ ରାଜ୍ୟପାଳ

ଭୁବନେଶ୍ୱର,୧୪।୩ (ବ୍ୟୁରୋ): ବୁଦ୍ଧ ଆର୍ଟ ଗ୍ୟାଲେରିରେ ହେବାକୁ ଥିବା ଓଡ଼ିଶା ଲଳିତ କଳା ଏକାଡେମୀର ୩୮ତମ ରାଜ୍ୟସ୍ତରୀୟ ପୁରସ୍କାର ପ୍ରଦାନ ଉତ୍ସବକୁ ବାତିଲ କରାଯାଇ ରାଜଭବନରେ କରାଯାଇଛି। କରୋନା ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ରାଜଭବନରେ ନିରାଡମ୍ବର ଭାବେ ଏହି କାର୍ଯ୍ୟକ୍ରମ କରାଯାଇଥିଲା। ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଡ. ଗଣେଶୀ ଲାଲ୍‌ ୮ଜଣ ଶିଳ୍ପୀଙ୍କୁ ପୁରସ୍କୃତ କରିଥିଲେ। ସେମାନେ ହେଲେ ଭାସ୍କର୍ଯ୍ୟ କଳାରେ ବରୁଣ ବେହେରା, ବିଶ୍ୱଜିତା ମହାରଣା, ଚିତ୍ରକଳାରେ ହୃଷୀକେଶ ବିଶ୍ୱାଳ, ଜ୍ୟୋତି ପ୍ରକାଶ ପ୍ରଧାନ, ଭାସ୍କର୍ଯ୍ୟ କଳାରେ ମାୟାଧର ସାହୁ, ମୁଦ୍ରଣ କଳାରେ ନୀର ଜାନି, ପାରମ୍ପରିକ କଳା ପାଇଁ ନିରଞ୍ଜନ ମହାପାତ୍ର ଏବଂ ଚିତ୍ରକଳା ପାଇଁ ସତ୍ୟରଞ୍ଜନ ଦାସ। ପ୍ରତ୍ୟେକଙ୍କୁ ପୁରସ୍କାର ସ୍ବରୂପ ୫୦ହଜାର ଟଙ୍କା ସହ ତାମ୍ରଫଳକ ଏବଂ ଉପଢୌକନ ପ୍ରଦାନ କରାଯାଇଥିଲା। ଏହି ଉତ୍ସବରେ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ବିଭାଗୀୟ ପ୍ରମୁଖ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ନିର୍ଦ୍ଦେଶକ ବିଜୟ କୁମାର ନାୟକ, ଯୁଗ୍ମ ଶାସନ ସଚିବ ମନସ୍ବିନୀ ସାହୁ, ଓଡ଼ିଶା ଲଳିତ କଳା ଏକାଡେମୀ ସଚିବ ଗଜେନ୍ଦ୍ର ପ୍ରସାଦ ସାହୁ, ସଭାପତି ସୁଦର୍ଶନ ପଟ୍ଟନାୟକ ଯୋଗଦେଇଥିଲେ। ଏହି ଅବସରରେ ଏକାଡେମୀ ପକ୍ଷରୁ ଆୟୋଜିତ ଚିତ୍ର ପ୍ରଦର୍ଶନୀରେ ସ୍ଥାନ ପାଇଥିବା କଳାକୃତିର ରଙ୍ଗିନ୍‌ ଚିତ୍ରପୁସ୍ତିକା ଉନ୍ମୋଚିତ ହୋଇଥିଲା। ପ୍ରଦର୍ଶନୀ ପାଇଁ ରାଜ୍ୟର ୩୬୮ଜଣ ଶିଳ୍ପୀଙ୍କଠାରୁ ୬୧୫ଟି ଚିତ୍ରକଳା ଗ୍ରହଣ କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ଚୟନ କମିଟି ୧୨୮ଜଣ ଶିଳ୍ପୀଙ୍କ ମୂଳ କଳାକୃତିକୁ ୨ୟ ପର୍ଯ୍ୟାୟ ପାଇଁ ମନୋନୀତ କରିଥିଲେ। ସେଥିରୁ ୧୧୦ ମୂଳ କଳାକୃତି ମଧ୍ୟରୁ ୮ଜଣ ଶିଳ୍ପୀଙ୍କୁ ବିଚାରକ ମଣ୍ଡଳୀ ସୁପାରିସ କରିଥିଲେ।