Categories: ଖେଳ

୮ ଫୁଟ୍‌ବଲ ଖେଳାଳି କରୋନା ପଜିଟିଭ୍‌

ମେକ୍ସିକୋ ସିଟି, ୨୨ା୫ (ଏଏଫ୍‌ପି)- ମେକ୍ସିକୋର ଅନ୍ୟତମ ଶ୍ରେଷ୍ଠ ଫୁଟ୍‌ବଲ ଟିମ୍‌ ସାଣ୍ଟୋସ୍‌ ଲାଗୁନାର ୮ଜଣ ଖେଳାଳି କରୋନା ପଜିଟିଭ୍‌। ଫଳରେ ୨ ମାସ ସସ୍‌ପେଣ୍ଡ ପରେ ନ୍ୟାଶନାଲ ଲିଗ୍‌ ଆରମ୍ଭ କରିବା ଲାଗି ଯେଉଁ ଯୋଜନା ଚାଲିଛ ତାହା କାର୍ଯ୍ୟକାରୀ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ମେକ୍ସିକାନ ଲିଗ୍‌ ଲିଗା ଏମ୍‌ଏକ୍ସ ଚଳିତ ସପ୍ତାହ ଶେଷ ଭାଗରେ ଆରମ୍ଭ ହେବ ବୋଲି ଆଶା କରାଯାଉଥିଲା। ଟ୍ରେନିଂ ଆରମ୍ଭ ପୂର୍ବରୁ କରୋନାଭାଇରସ୍‌ ଟେଷ୍ଟ ହୋଇଥିଲା। ଏହି ପରିସ୍ଥିତିରେ ପୁଣି ଲିଗ୍‌ ଆରମ୍ଭ କରିବା ଜଟିଳ ହୋଇପଡ଼ିବ ବୋଲି ସାଣ୍ଟୋସ ଲାଗୁନା ମାଲିକ ଆଲେଜାଣ୍ଡ୍ରୋ ଇରାରାଗୋରୀ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଖେଳାଳି ଓ କୋଚ୍‌ ମିଶି ୪୮ ଜଣଙ୍କର ଟେଷ୍ଟ ହୋଇଥିଲା। ତନ୍ମଧ୍ୟରୁ କେବଳ ୨୨ଟିର ଫଳାଫଳ ଆସିଛି। ଯଦି କରୋନା ପଜିଟିଭ୍‌ଙ୍କ ସଂଖ୍ୟା ବୃଦ୍ଧି ପାଏ ତେବେ ସାଣ୍ଟୋସ ଲାଗୁନାର ଅବସ୍ଥା ଆହୁରି ଖରାପ ହୋଇଯିବ। ଅନ୍ୟ ଦୁଇଟି କ୍ଲବ ଗୁଆଡାଲାରାଜା ଓ ମଣ୍ଟେରୀ ଫୁଟ୍‌ବଲ ଟିମ୍‌ର କରୋନାଭାଇରସ୍‌ ଟେଷ୍ଟ ହୋଇଥିଲା। ମାତ୍ର ଫଳାଫଳା ସମ୍ପୂର୍ଣ୍ଣ ନେଗେଟିଭ୍‌ ଆସିଥିଲା। କରୋନାଭାଇରସ୍‌ରେ ଆକ୍ରାନ୍ତ ହୋଇ ମେକ୍ସିକୋର ଇତିମଧ୍ୟରେ ୬,୦୦୦ରୁ ଅଧିକ ମୃତ୍ୟୁବରଣ କରିସାରିଲେଣି। ଲାଟିନ ଆମେରିକାରେ ବ୍ରାଜିଲ ପରେ ଏହା ହେଉଛି ଦ୍ୱିତୀୟ ସର୍ବାଧିକ। କୌଣସି ଗୁରୁତର ଲକ୍ଷଣ ନ ଥାଇ ଲିଗ୍‌ର ସଭାପତି ଏନରିକ୍‌ ବୋନିଲା କରୋନା ଭାଇରସ୍‌ର ଶିକାର ହେବାର ସପ୍ତାହ ନ ପୂରୁଣୁ ମାର୍ଚ୍ଚ ମଧ୍ୟ ଭାଗରେ ଲିଗା ଏମ୍‌ଏକ୍ସକୁ ସ୍ଥଗିତ ରଖାଯାଇଥିଲା। ମେକ୍ସିକାନ ଲିଗ୍‌ର ଅନ୍ୟ ଏକ କ୍ଲବ ସାନ୍‌ ଲୁଇସ୍‌ର ସଭାପତି ମଧ୍ୟ କୋଭିଡ୍‌-୧୯ରେ ଆକ୍ରାନ୍ତ ହୋଇଛନ୍ତି।

Share