୮ ଜିଲାରୁ ୧,୭୫,୫୫୮ କୁଇଣ୍ଟାଲ ଧାନ ସଂଗୃହୀତ

ଭୁବନେଶ୍ୱର,୨୬ା୧୧(ବ୍ୟୁରୋ): ସାରା ରାଜ୍ୟରେ ଖରିଫ ଧାନ ସଂଗ୍ରହ ଆରମ୍ଭ ହୋଇଛି। ବରଗଡ, ସମ୍ବଲପୁର, କଳାହାଣ୍ଡି, ସୁବର୍ଣ୍ଣପୁର, ନୂଆପଡା, ବଲାଙ୍ଗୀର, ମାଲକାନଗିରି ଏବଂ କୋରାପୁଟ ଆଦି ଜିଲାରୁ ଧାନ କ୍ରୟ ଆରମ୍ଭ ହୋଇଛି। ଚଳିତ ମାସ ୨୫ ତାରିଖ ତଥା ସୋମବାର ସୁଦ୍ଧା ୮ ଜିଲାରୁ ୧,୭୫,୫୫୮ କୁଇଣ୍ଟାଲ ଧାନ କିଣାଯାଇଥିବା ସମବାୟ ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ବିଧାନସଭାରେ ଉତ୍ତର ରଖିଛନ୍ତି। ରଣେନ୍ଦ୍ର କହିଛନ୍ତି ଯେ, ଟୋକନ୍‌ ବ୍ୟବସ୍ଥାକୁ ମାନବୀୟ ହସ୍ତକ୍ଷେପରୁ ମୁକ୍ତ ରଖାଯାଇଛି। ଯେଉଁ ଚାଷୀଙ୍କ ତାଲିକା ଭିତ୍ତିରେ ଟୋକନ୍‌ ପ୍ରସ୍ତୁତି କରାଯାଉଛି। ଏପରିକି ଏହାର ତା’ର ତଥ୍ୟ ସୋସାଇଟି ସେକ୍ରେଟାରିମାନେ ମଧ୍ୟ ରଖୁଛନ୍ତି। ପ୍ରତି ବିକ୍ରୟ ଦିବସରେ କ୍ଷୁଦ୍ର, ନାମମାତ୍ର, ମଧ୍ୟମ ଏବଂ ବଡ଼ଚାଷୀ ପୂର୍ବ ନିର୍ଦ୍ଧାରିତ ମାପକାଠି ଅନୁସାରେ ଧାନ ବିକ୍ରୟର ସୁଯୋଗ ପାଉଛନ୍ତି। ତୃଣମୂଳରେ ଥିବା ବଣ୍ଟନ ଅନିୟମିତତାକୁ ଏହି ବ୍ୟବସ୍ଥା ପ୍ରତିହତ କରିବ ବୋଲି ମନ୍ତ୍ରୀ କହିଛନ୍ତି। ଚାଷୀଙ୍କ ପରିଚୟ ଆଧାର ପ୍ରମାଣୀକରଣ କରାଯାଇଛି। ସମସ୍ତ କ୍ରୟ କେନ୍ଦ୍ରକୁ ଆଇରିସ୍‌ ସ୍କାନର ଯୋଗାଇ ଦିଆଯାଇଛି। କୌଣସି ବୃଦ୍ଧ, ରୋଗଗ୍ରସ୍ତ ବ୍ୟକ୍ତି, ଆଧାର ପ୍ରମାଣୀକରଣ ପାଇଁ ମଣ୍ଡିରେ ଉପସ୍ଥିତ ନ ରହିପାରିଲେ ମଧ୍ୟ ପୁନର୍ବାର ଏକାଧିକ ସୁଯୋଗ ଦିଆଯିବ। ଚାଷୀଙ୍କ ଧାନକୁ ସୁରକ୍ଷା, ସେମାନଙ୍କ ପାଇଁ ବିଶ୍ରାମସ୍ଥଳୀ ଏବଂ ଶୌଚାଳୟ ପ୍ରତିଷ୍ଠା ପାଇଁ ସୋସାଇଟିକୁ ନିର୍ଦ୍ଦେଶ ଦିଆଯାଇଥିବା ମନ୍ତ୍ରୀ କହିଛନ୍ତି। ବସ୍ତାରେ ନେଇ ଆସୁଥିବା ଧାନର କ୍ରୟ ପରେ ବସ୍ତା ଫେରସ୍ତ ବ୍ୟବସ୍ଥା ରହିଛି। ଯେଉଁଠି ବସ୍ତା ଫେରସ୍ତ କରାଯାଉନାହିଁ, ସେଠାରେ ଏହା ବାବଦକୁ ଅର୍ଥ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି। ଏହି କାର୍ଯ୍ୟ ମୁଖ୍ୟତଃ ମିଲରଙ୍କ ଦ୍ୱାରା କରାଯିବାର କଥା, ଯିଏ ଏହାକୁ ଉଲ୍ଲଂଘନ କରୁଛି, ତାହାକୁ ସଂପୃକ୍ତ ଜିଲାର ଜିଲାପାଳ, ଯୋଗାଣ ଅଧିକାରୀ ଅଥବା ବିଭାଗର ଦୃଷ୍ଟିକୁ ଆଣିବାକୁ ରଣେନ୍ଦ୍ର ପ୍ରତାପ କହିଛନ୍ତି।
ଅପରପକ୍ଷେ ଚଳିତ ଖରିଫ ଧାନ ସଂଗ୍ରହ ପାଇଁ ସରକାର ଜଳସେଚିତ ଓ ଅଣଜଳସେଚିତ ଜମିରୁ ଯଥାକ୍ରମେ ଏକର ପ୍ରତି ୧୯ କୁଇଣ୍ଟାଲ ଏବଂ ୧୩ କୁଇଣ୍ଟାଲ ହାରରେ ଧାନ କ୍ରୟ କରୁଛନ୍ତି। ସରକାର ଏକ ହାରାହାରି ଅମଳ ହାରରେ ଧାନ କ୍ରୟ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି ବ୍ୟବସ୍ଥା ଆହୁରି ସ୍ବଚ୍ଛତା ପାଇଁ ଆସୁଥିବା ଯେ କୌଣସି ଗଠନଧର୍ମୀ ପ୍ରସ୍ତାବକୁ ସାଦରେ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଥିଲେ।