Categories: ଜାତୀୟ

୮ କ୍ୟାବିନେଟ କମିଟିରେ ଶାହ

ନୂଆଦିଲ୍ଲୀ,୭ା୬(ଆଇଏଏନ୍‌ଏସ୍‌):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ୟାବିନେଟ କମିଟିଗୁଡିକର ପୁନର୍ଗଠନ କରିଥିଲାବେଳେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ସର୍ବାଧିକ ଗୁରୁତ୍ୱ ଦେଇଛନ୍ତି। ଗଠିତ ୮ଟି ଯାକ କ୍ୟାବିନେଟ କମିଟିରେ ଶାହଙ୍କୁ ନିଆଯାଇଥିବାବେଳେ ଅନ୍ୟତମ ବରିଷ୍ଠ ଭାଜପା ନେତା ତଥା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମାତ୍ର ୨ଟିରେ ସଦସ୍ୟ ଅଛନ୍ତି। ମୋଦିଙ୍କ ପ୍ରଥମ ପାଳି ସରକାରରେ ତତ୍କାଳୀନ ପ୍ରତିରକ୍ଷା ମନ୍ତ୍ରୀ ୬ଟି କମିଟି ମଧ୍ୟରୁ ଆର୍ଥିକ ବ୍ୟାପାର, ରାଜନୈତିକ ବ୍ୟାପାର ଏବଂ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ କମିଟିରେ ସଦସ୍ୟ ଥିଲେ। ରାଜନାଥଙ୍କୁ ଆର୍ଥିକ ବ୍ୟାପାର ଏବଂ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ କମିଟିରେ ସଦସ୍ୟ ରଖାଯାଇଥିବାବେଳେ ରାଜନୈତିକ ବ୍ୟାପାର ସମ୍ପର୍କିତ କ୍ୟାବିନେଟ କମିଟିରେ ନିଆଯାଇନାହିଁ। ଏହି କମିଟି ସମସ୍ତ ରାଜନୈତିକ ନୀତି ନିଷ୍ପତ୍ତି ନେଇଥାଏ।
ସିଭିସି, ସିବିଆଇ ନିର୍ଦ୍ଦେଶକ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀରେ ନିଯୁକ୍ତି ଦେଉଥିବା କ୍ୟାବିନେଟ କମିଟିରେ କେବଳ ପ୍ରଧାନମନ୍ତ୍ରୀ ମୋଦି ଓ ସ୍ବରାଷ୍ଟ୍ରମନ୍ତ୍ରୀ ଶାହ ଅଛନ୍ତି। ୮ଟି କମିଟି ମଧ୍ୟରୁ ୨ଟି ସମ୍ପୂର୍ଣ୍ଣ ନୂଆ। ପ୍ରଧାନମନ୍ତ୍ରୀ ୬ଟି କମିଟିର ମୁଖ୍ୟ ହୋଇଥିବାବେଳେ ଶାହଙ୍କୁ ଦୁଇଟି କମିଟିର ମୁଖ୍ୟ କରାଯାଇଛି। ନିଯୁକ୍ତି କମିଟି, ଆର୍ଥତ୍କ ବ୍ୟାପାର କମିଟି, ରାଜନୈତିକ ବ୍ୟାପାର କମିଟି, ସୁରକ୍ଷା କମିଟି, ନିଯୁକ୍ତି ଓ ଅଭିବୃଦ୍ଧି କମିଟି ଏବଂ ନିଯୁକ୍ତି ଓ ଦକ୍ଷତା ବିକାଶ କମିଟିର ଅଧ୍ୟକ୍ଷ ଅଛନ୍ତି ପ୍ରଧାନମନ୍ତ୍ରୀ। ଶାହଙ୍କୁ ସଂସଦୀୟ ବ୍ୟାପାର କମିଟି ଏବଂ ଥଇଥାନ କମିଟିର ଅଧ୍ୟକ୍ଷ କରାଯାଇଛି।
ଅନ୍ୟମାନଙ୍କ ମଧ୍ୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ୭ଟି କମିଟିର ସଦସ୍ୟ ଥିବାବେଳେ ସଡକ ପରିବହନ ଓ ରାଜପଥ ବିଭାଗ ମନ୍ତ୍ରୀ ନୀତିନ ଗଡକରୀ ତିନୋଟି କମିଟିର ସଦସ୍ୟ ରହିଛନ୍ତି। ଭାପା ସହଯୋଗୀ ଦଳର ନେତା ରାମବିଳାସ ପାଶ୍ୱାନ, ହରସିମ୍‌ରତ କୌର ବାଦଲ ଏବଂ ଅରବନ୍ଦ ସାଓ୍ବନ୍ତଙ୍କୁ କେତେକ କମିଟିରେ ନିଆଯାଇଛି। ମନ୍ତ୍ରିମଣ୍ଡଳରେ ଶାହ ଦ୍ୱିତୀୟ ସର୍ବାଧିକ କ୍ଷମତାଶାଳୀ ହୋଇଛନ୍ତି। ଗତ ୪ ତାରିଖରେ ଅଶୋଧିତ ତୈଳ ପ୍ରସଙ୍ଗରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଶାହ ଅଧ୍ୟକ୍ଷତା କରିଥିଲେ। ଏଥିରେ ଅର୍ଥମନ୍ତ୍ରୀ ସୀତାରାମନ, ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର, ବାଣିଜ୍ୟ ଓ ରେଳମନ୍ତ୍ରୀ ପୀୟୂଷ ଗୋୟଲ, ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Share