୮୫୦ କି.ମି. ସାଇକେଲ ଚଳାଇ ବିବାହ ପାଇଁ ପହଞ୍ଚିଲେ ଯୁବକ

ଲକ୍ଷ୍ନୌ,୧୭।୪: ମହାମାରୀ କରୋନା ଭାଇରସ୍‌ ସହ ସାରା ବିଶ୍ୱ ଲଢ଼େଇ କରୁଛି। କରୋନା ସଂକ୍ରମଣକୁ ରୋକିବା ପାଇଁ ଭାରତରେ ଲକ୍‌ଡାଉନ୍‌ ଜାରି ରହିଥିବା ବେଳେ ଏଥିଯୋଗୁ ଜନଜୀବନ ଓ କାମକାର୍ଯ୍ୟ ସବୁ ଠପ୍‌ ହୋଇଯାଇଛି। ଏଥିସହ ଲୋକମାନେ ଘରେ ବନ୍ଦୀ ହୋଇ ରହୁଛନ୍ତି। ଲକ୍‌ଡାଉନ୍‌ ଯୋଗୁ କେତେକ ବିବାହ ଭିଡିଓ କନ୍‌ଫରେନ୍ସିଂରେ ହେଉଥିବା ବେଳେ ଆଉ କେତେକ ସ୍ଥଗିତ ହୋଇଥିବା ଜଣାପଡ଼ିଛି। ଇତିମଧ୍ୟରେ ଜଣେ ଯୁବକ ବିବାହ କରିବା ପାଇଁ ପ୍ରାୟ ୧୦୦୦ କିଲୋମିଟର ଯାତ୍ରା ଅତିକ୍ରମ କରିଛନ୍ତି। ହେଲେ ଗନ୍ତବ୍ୟ ସ୍ଥଳକୁ ପହଞ୍ଚିବା ପୂର୍ବରୁ ପୋଲିସ ଯୁବକଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଉତ୍ତରପ୍ରଦେଶ ମହାରାଜଗଞ୍ଜ ଜିଲାର ପିପରା ରସୁଲପୁର ଗାଁରେ ସୋନୁ ଚୌହାନ ଓ ତାଙ୍କ ପରିବାର ରୁହନ୍ତି। କିନ୍ତୁ ସେ ପଞ୍ଜାବର ଲୁଧିଆନାରେ ଟାଇଲ୍ସ ମିସ୍ତ୍ରୀ ଭାବେ କାର୍ଯ୍ୟ କରନ୍ତି। ଏପ୍ରିଲ ୧୫ରେ ସୋନୁଙ୍କ ବିବାହ ତାଙ୍କ ଗାଁରୁ ପ୍ରାୟ ୨୫ କିଲୋମିଟରରେ ଦୂରରେ ଥିବା ଏକ ଗାଁରେ ଠିକ୍‌ ହୋଇଥିଲା। ହେଲେ କରୋନା ଯୋଗୁ ଦେଶରେ ଲକ୍‌ଡାଉନ୍‌ ଘୋଷଣା ହେବା ପରେ ସେ ଆଉ ଘରକୁ ଫେରି ପାରି ନ ଥିଲୋ। ତେବେ ବିବାହ ପାଇଁ ସେ ପ୍ରାୟ ହଜାରେ କିଲୋମିଟର ଯାତ୍ରା କରିବାକୁ ମନସ୍ତ କରିଥିଲେ। ଆଉ ଏଥିପାଇଁ ସେ ସାଇକେଲକୁ ବାଛିଥିଲେ। ୩ସାଙ୍ଗଙ୍କ ସହ ସୋନୁ ସାଇକେଲରେ ଲୁଧିଆନାରୁ ବହାରିଥିଲେ। ୬ଦିନରେ ସେ ପ୍ରାୟ ୮୫୦ କିଲୋମିଟର ରାସ୍ତା ଅତିକ୍ରମ କରି ସାଙ୍ଗମାନଙ୍କ ସହ ସୋନୁ ବଲରାମପୁର ପହଞ୍ଚିଥିଲେ। ସେଠାରେ ପୋଲିସ ସୋନୁ ଓ ତାଙ୍କ ସାଙ୍ଗଙ୍କୁ ଅଟକାଇବା ସହ ଆଗକୁ ଯିବା ପାଇଁ ଅନୁମତି ଦେଇ ନ ଥିଲା। ସୋନୁ ଘରକୁ ଯିବା ପାଇଁ ପୋଲିସକୁ ନିବେଦନ କରିଥିଲେ। ହେଲେ ସେ ଘରକୁ ଯାଇପାରିଥିଲେ ନା ବିବାହ କରିପାରିଥିଲେ। ପୋଲିସ ସିଧା ସେମାନଙ୍କୁ ବଲରାମପୁରର କ୍ୱାରାଣ୍ଟାଇନ୍‌ ସେଣ୍ଟରକୁ ପଠାଇଦେଇଥିଲା। ବର୍ତ୍ତମାନେ ସେ ଓ ତାଙ୍କ ସାଙ୍ଗ କ୍ୱାରାଣ୍ଟାଇନ୍‌ରେ ଥିବା ଜଣାପଡ଼ିଛି। ତେବେ ଜୀବନ ଥିଲେ ବିବାହ ପୁଣି ଥରେ ହୋଇପାରିବ ବୋଲି ସୋନୁ କହିଛନ୍ତି।

Share