୮୨ ଅଙ୍ଗନଓ୍ବାଡ଼ି କେନ୍ଦ୍ରର ନାହିଁ ନିଜସ୍ବ ଗୃହ

ନାଉଗାଁ,୫ା୧୧(ସ୍ବ.ପ୍ର.): ନାଉଗାଁ ବ୍ଲକରେ ମୋଟ୍‌ ୧୧୯ ଅଙ୍ଗନଓ୍ବାଡି କେନ୍ଦ୍ର ରହିଛି। ସେଥିମଧ୍ୟରୁ ୩୭ କେନ୍ଦ୍ରର ନିଜସ୍ବ ଗୃହ ଥିବାବେଳେ ୮୨କେନ୍ଦ୍ରର ନିଜସ୍ବ ଗୃହ ନାହିଁ। ଫଳରେ ଗୃହ ନ ଥିବା କେନ୍ଦ୍ରଗୁଡିକ ପ୍ରାଥମିକ ବିଦ୍ୟାଳୟ, ବାତ୍ୟା ଆଶ୍ରୟସ୍ଥଳ, କ୍ଲବ ଘର ଓ କେତେଜଣ ଅଙ୍ଗନଓ୍ବାଡି କର୍ମୀଙ୍କ ଘରେ ଚାଲୁଛି। ଏହାକୁ ନେଇ ଜନ ଅସନ୍ତୋଷ ପ୍ରକାଶ ପାଇଛି। ଯୋଜନା ମାଧ୍ୟମରେ ଛୋଟ ପିଲାଙ୍କୁ ଜଳଖିଆ ସହିତ ମଧ୍ୟାହ୍ନଭୋଜନ ପ୍ରଦାନ କରାଯାଇଥାଏ। ଶିଶୁ ଏହିଠାରୁ ଶିକ୍ଷା ଆରମ୍ଭ କରିଥାଏ। ଶିଶୁଙ୍କୁ କିପରି ନାଚ, ଗୀତ ମାଧ୍ୟମରେ ଶିକ୍ଷା ପ୍ରଦାନ କରାଯିବ ସେଥିପାଇଁ ବିଭିନ୍ନ ସମୟରେ ଅଙ୍ଗନଓ୍ବାଡି କର୍ମୀଙ୍କୁ ତାଲିମ ପ୍ରଦାନ କରାଯାଉଛି। ପିଲାଙ୍କ ସ୍ବାସ୍ଥ୍ୟ ଯେପରି ପ୍ରଭାବିତ ନ ହେବ ସେଥିପାଇଁ କେନ୍ଦ୍ର ଗୁଡିକରେ ଶୁଦ୍ଧ ପାନୀୟ ଜଳ, ପାଇଖାନା, ମଧ୍ୟାହ୍ନଭୋଜନ ସମୟରେ ପରିଷ୍କାର ପରିଚ୍ଛନ୍ନତା ଅବଲମ୍ବନ କରାଯାଉଛି। ପିଲାଙ୍କ ମନୋରଞ୍ଜନ ପାଇଁ କେନ୍ଦ୍ରରେ ବିଭିନ୍ନ ଖେଳଣା, କାନ୍ଥରେ ବିଭିନ୍ନ ପ୍ରକାର ଶିକ୍ଷଣୀୟ ଚିତ୍ର ଲଗାଯାଉଛି। ମାତ୍ର ଯେଉଁଠି କେନ୍ଦ୍ରନାହିଁ ପିଲାମାନେ ଏସବୁ ସୁବିଧା ମଧ୍ୟରୁ ଅନେକ ସୁବିଧାରୁ ବଞ୍ଚତ୍ତ ହେଉଛନ୍ତି। କେନ୍ଦ୍ର ମାଧ୍ୟମରେ ପିଲାଙ୍କ ଓଜନ, ଶାରୀରିକ ସୁସ୍ଥତା ଆଦି ଯାଞ୍ଚ କରାଯାଇଥାଏ। ପିଲାଙ୍କ ମାନସିକ, ଶାରୀରିକ, ବୌଦ୍ଧିକ ବିକାଶରେ ଅଙ୍ଗନଓ୍ବାଡି କେନ୍ଦ୍ରଗୁଡିକ ଏସବୁ ଭୂମିକା ବହନ କରିଥାନ୍ତି। ସେହିପରି ଅନେକ କେନ୍ଦ୍ର ନିର୍ମାଣ ଅଧାପନ୍ତରିଆ ହୋଇ ରହିଛି। ଆଉ କେତେକ କେନ୍ଦ୍ର ନିର୍ମାଣ ସରିଥିଲେ ମଧ୍ୟ ସମନ୍ବିତ ଶିଶୁ ବିକାଶ କାଯର୍‌ୟାଳୟକୁ ହସ୍ତାନ୍ତର ହୋଇନାହିଁ। ତେଣୁ ଯେଉଁଠାରେ ଗୃହ ନାହିଁ। ତୁରନ୍ତ ନିର୍ମାଣ କରି ଯୋଗାଇ ଦେବାକୁ ଦାବି ହୋଇଛି। ଏ ସମ୍ପର୍କରେ ସିଡିପିଓ ରାସେଶ୍ୱରୀ ମହାନ୍ତିଙ୍କୁ ପଚାରିବାରେ ସେ କହିଥିଲେ, ବ୍ଲକ ଅଧୀନରେ ୧୧୯ କେନ୍ଦ୍ର ରହିଛି। ସେଥିମଧ୍ୟରୁ ୩୭ର ନିଜସ୍ବ ଗୃହ ଅଛି। ଯେଉଁ ସବୁ ଗୃହ ନିର୍ମାଣ ହେଉଛି ତାହା ବ୍ଲକ ପ୍ରଶାସନ ମାଧ୍ୟମରେ। ଗୃହ ନିର୍ମାଣ ବିଷୟରେ ବ୍ଲକ ପ୍ରଶସାନ ଅବଗତ ଥିବେ। ତେବେ ଯେଉଁଠାରେ ଗୃହ ନାହିଁ ସେମାନଙ୍କୁ ମଧ୍ୟ ସମସ୍ତ ସୁବିଧା ମିଳୁଛି ବୋଲି ପ୍ରକାଶ କରିଥିଲେ।