Categories: ଜାତୀୟ

୮୦ ଘଣ୍ଟାର ଅପରେଶନ : ବୋର୍‌ଓ୍ବେଲରୁ ସୁଜିତ୍‌ଙ୍କ ମୃତଦେହ ଉଦ୍ଧାର

ତିରୁଚିରାପଲ୍ଲୀ/ଚେନ୍ନାଇ ୩୦ା୧୦(ପି.ଟି.): ଦୀର୍ଘ ୮୦ ଘଣ୍ଟାର ରେସ୍କ୍ୟୁ ଅପରେଶନ ସତ୍ତ୍ୱେ ତାମିଲନାଡ଼ୁର ନଡ଼ୁକଟ୍ଟାପୁଟ୍ଟି ବୋର୍‌ଓ୍ବେଲରେ ଖସିପଡ଼ିଥିବା ୨ ବର୍ଷର ଶିଶୁ ସୁଜିତ୍‌ ଓ୍ବିଲିୟମଙ୍କୁ ଜୀବିତ ଉଦ୍ଧାର କରାଯାଇ ପାରିନାହିଁ। ପ୍ରଶାସନର ସମସ୍ତ ପ୍ରୟାସ ବୃଥା ହୋଇଛି। ସୁଜିତ୍‌୍‌ ଶୁକ୍ରବାର ସନ୍ଧ୍ୟାରେ ଘର ପାଖରେ ଖେଳୁଥିବାବେଳେ ସେଠାରେ ଥିବା ଏକ ପରିତ୍ୟକ୍ତ ବୋର୍‌ଓ୍ବେଲରେ ଖସିପଡ଼ିଥିଲେ। ଏନ୍‌ଡିଆର୍‌ଏଫ୍‌ ସହଯୋଗ କ୍ରମେ ମଙ୍ଗଳବାର ଶିଶୁଟିର ମୃତଦେହକୁ ଉଦ୍ଧାର କରାଯାଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଫତିମାନଗର କବଳରସ୍ଥଳୀକୁ ମରଶରୀରକୁ ଶେଷକୃତ୍ୟ ଲାଗି ନିଆଯାଇଥିଲା।
ସୁଜିତ୍‌ ନୁହନ୍ତି, ପ୍ରଶାସନର ଅବହେଳାରୁ ଗତ ୧୫ ବର୍ଷ ମଧ୍ୟରେ ତାମିଲନାଡ଼ୁରେ ଏଭଳି ୧୦ଜଣ ଶିଶୁ ପରିତ୍ୟକ୍ତ ବୋର୍‌ଓ୍ବେଲରେ ଫଶି ପ୍ରାଣ ହରାଇଥିବା ଜଣାପଡ଼ିଛି। ମୃତ୍ୟୁକୁ ନେଇ ମଙ୍ଗଳବାର ସୁପ୍ରିମକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ କରାଯାଇଥିବା ବେଳେ ଅଧିକାରୀଙ୍କ ଅବହେଳା ଓ ଅତ୍ୟଧିକ ବିଳମ୍ବକୁ ଦାୟୀ କରାଯାଇଛି। ଭବିଷ୍ୟତରେ ଏଭଳି ପରିସ୍ଥିତିରୁ ଦୂରେଇ ରହିବା ଲାଗି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବାକୁ ଏଥିରେ ଦର୍ଶାଯାଇଛି। ଆଇନଜୀବୀ ଜି. ଏସ୍‌. ମଣିଙ୍କ ଦ୍ୱାରା ଏହି ଜନସ୍ବାର୍ଥ ମମଲା ଦାଏର କରାଯାଇଥିଲା।

Share