Categories: ଅନୁଗୋଳ

୮ରେ ହିଙ୍ଗୁଳା ମନ୍ଦିର ରତ୍ନମୁଦ

ତାଳଚେର, ୭ା୭(ନି.ପ୍ର.) – ମା’ ହିଙ୍ଗୁଳାଙ୍କ ନୂତନ ଭବ୍ୟ ମନ୍ଦିରର ପବିତ୍ର ରନତ୍ମୁଦ ଉତ୍ସବ ଆସନ୍ତା ୮ ତାରିଖ ହେରା ପଞ୍ଚମୀ ଦିନ ତାଳଚେର ଗୋପାଳପ୍ରସାଦସ୍ଥିତ ହିଙ୍ଗୁଳା ପୀଠରେ ଅନୁଷ୍ଠିତ ହେବ। ଏହି ଉପଲକ୍ଷେ ମା’ ହିଙ୍ଗୁଳା ଠାକୁରାଣୀ ଟ୍ରଷ୍ଟବୋର୍ଡ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏହି ଉତ୍ସବରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ବ୍ୟବସ୍ଥା କରାଯାଉଛି। ମନ୍ଦିର ଚତୁଃପାର୍ଶ୍ୱରେ ଟେଣ୍ଟ ନିର୍ମାଣ କରାଯାଇଛି। ପୂର୍ବ ପାର୍ଶ୍ୱରେ ଭକ୍ତଙ୍କ ନିମନ୍ତେ ପ୍ରସାଦ ସେବନ ପାଇଁ ୧୮୦ ଫୁଟ ଲମ୍ବ ଓ ୧୮୦ ଫୁଟ ପ୍ରସ୍ଥର ଟେଣ୍ଟ ନିର୍ମାଣ କରାଯାଇଛି। ସେହିଭଳି ମନ୍ଦିର ପରିସରରେ ଭଜନ ସମାରୋହ ପାଇଁ ୧୫୦ ଫୁଟ ଲମ୍ବ ଓ ୧୦୦ ଫୁଟ ପ୍ରସ୍ଥ ବିଶିଷ୍ଟ ଟେଣ୍ଟ ଓ ନାମ ସଂକର୍ତ୍ତନ ପାଇଁ ୨୦୦ ଫୁଟ ଲମ୍ବ ଓ ୬୦ଫୁଟ ପ୍ରସ୍ଥ ବିଶିଷ୍ଟ ଟେଣ୍ଟ ପ୍ରସ୍ତୁତ କରାଯାଇଛି। ବର୍ଷାକୁ ଦୃଷ୍ଟିରେ ରଖି ଯଜ୍ଞ ମଣ୍ଡପ ଚତୁଃପାର୍ଶ୍ୱକୁ ଟେଣ୍ଟ ଦ୍ୱାରା ଆବଦ୍ଧ କରାଯାଇଛି। ଜିଲାର ଥିବା ସମସ୍ତ ଗ୍ରାମର ସଂକୀର୍ତ୍ତନ ମଣ୍ଡଳୀ ଓ ନଦିଆଁ ଦଳଗୁଡିକୁ ନିମନ୍ତ୍ରଣ କରାଯାଇଛି। ଅନୁଗୋଳ ଓ ଢେଙ୍କାନାଳ ଜିଲାର ସମସ୍ତ ଶିଳ୍ପାନୁଷ୍ଠାନର କର୍ମକର୍ତ୍ତା, ସ୍ବେଚ୍ଛାସେବୀ ଅନୁଷ୍ଠାନ, ବ୍ୟବସାୟୀ ତଥା ସମସ୍ତ ଗ୍ରାମର ସଭାପତି, ସମ୍ପାଦକ ଓ ଗ୍ରାମବାସୀ ଯୋଗ ଦେବା ପାଇଁ ଟ୍ରଷ୍ଟବୋର୍ଡ ପକ୍ଷରୁ ଅନୁରୋଧ କରାଯାଇଛି।
ସେହିପରି ଉତ୍ସବର ସୁପରିଚାଳନା ନିମନ୍ତେ ବିଭିନ୍ନ କମିଟି ଗଠନ କରାଯାଇଛି। ନିରବଚ୍ଛିନ୍ନ ବିଦ୍ୟୁତ ଓ ପାନୀୟ ଜଳ ଯୋଗାଣ ପାଇଁ ଟ୍ରଷ୍ଟବୋର୍ଡର ମ୍ୟାନେଜିଂ ଟ୍ରଷ୍ଟି ତଥା ତାଳଚେର ଉପଜିଲାପାଳ ପରେଶ ଚନ୍ଦ୍ର ନାୟକ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମା’ ହିଙ୍ଗୁଳାଙ୍କ ଏହି ଭବ୍ୟ ମନ୍ଦିର ୧୩୧ ଫୁଟ ଉଚ୍ଚତା ବିଶିଷ୍ଟ ହେବାକୁ ଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୨୨ ଫୁଟ ଉଚ୍ଚତାର କାର୍ଯ୍ୟ ସମାପ୍ତ ହୋଇଥିବା ଜଣାପଡିଛି।