୮ରେ ଜାତୀୟ କୃମିନାଶ ଦିବସ: ୧କୋଟିରୁ ଅଧିକ ପିଲାଙ୍କୁ ଦିଆଯିବ ବଟିକା

ଭୁବନେଶ୍ୱର, ୭ା୮(ବ୍ୟୁରୋ): ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପ୍ରତି ୬ମାସରେ ଥରେ ୧ବର୍ଷରୁ ୧୯ ବର୍ଷ ପର୍ଯ୍ୟନ୍ତ କୃମିନାଶ ଔଷଧ ଓ ୯ମାସରୁ ୫ବର୍ଷ ପର୍ଯ୍ୟନ୍ତ ପିଲାମାନଙ୍କୁ ଭିଟାମିନ୍‌ ‘ଏ’ର ଦ୍ରବଣ ଖାଇବାକୁ ଦିଆଯାଉଛି। ନିୟମିତ କୃମିନାଶ ଔଷଧ ଖାଇବା ଦ୍ୱାରା ପିଲାମାନେ ଏହି ପରଜୀବି ସଂକ୍ରମଣ ଦ୍ୱାରା ହେଉଥିବା ରକ୍ତହୀନତା, ପୁଷ୍ଟିହୀନତା ଜନିତ ଶାରିରୀକ, ମାନସିକ, ବୌଦ୍ଧିକ ବିକାଶର ବାଧାରୁ ରକ୍ଷା ପାଆନ୍ତି। ଚଳିତବର୍ଷ ଅଗଷ୍ଟ ମାସରେ ହେଉଥିବା ଏହି ଅଭିଯାନରେ ରାଜ୍ୟ ସରକାର ୧ବର୍ଷରୁ ୧୯ବର୍ଷ ମଧ୍ୟରେ ୧କୋଟି ୩୦ ଲକ୍ଷ ପିଲାମାନଙ୍କୁ ଏହି ବଟିକା ଖାଇବାକୁ ଦେବା ପାଇଁ ଯୋଜନା କରିଛନ୍ତି। ଆସନ୍ତା ୮ ତାରିଖରେ ୧ବର୍ଷରୁ ୧୯ବର୍ଷ ପର୍ଯ୍ୟନ୍ତ ସମସ୍ତ ପିଲାମାନଙ୍କୁ ମାଗଣାରେ ଏହି ଔଷଧ ଖାଇବାକୁ ଦିଆଯିବ। ଯେଉଁ ପିଲାମାନେ ଅସୁସ୍ଥତା ବଶତଃ କିମ୍ବା ଅନୁପସ୍ଥିତ ରହିବା ଯୋଗୁ ଏହି ବଟିକା ଖାଇ ପାରି ନ ଥିବେ ସେମାନେ ୧୬ ତାରିଖରେ ଏହି ବଟିକା ଖାଇବେ ବୋଲି ମଙ୍ଗଳବାର ବିଭାଗ ପକ୍ଷରୁ ଆୟୋଜିତ ଖବରଦାତା ସମ୍ମିଳନୀ କୁହାଯାଇଛି। ସେହିପରି ୧ରୁ ୩ ବର୍ଷ ବୟସ ପିଲାମାନଙ୍କୁ କୃମିନାଶ ସିରପ୍‌ ଏବଂ ୪ ଓ ୫ ବର୍ଷ ବୟସ ପିଲାମାନଙ୍କୁ କୃମିନାଶ ବଟିକା ଗୁଣ୍ଡ କରି ସଫା ପାଣିରେ ମିଶାଇ ଅଙ୍ଗନଓ୍ବାଡି କେନ୍ଦ୍ରରେ ଖାଇବାକୁ ଦିଆଯିବ। ୬ରୁ ୧୯ବର୍ଷ ପର୍ଯ୍ୟନ୍ତ ପିଲାମାନଙ୍କୁ ସେମାନେ ପଢୁଥିବା ବିଦ୍ୟାଳୟରେ ଶିକ୍ଷକମାନେ ଏହି ବଟିକା ଖାଇବାକୁ ଦେବେ। ବିଦ୍ୟାଳୟକୁ ଯାଉ ନ ଥିବା ୬ରୁ ୧୯ବର୍ଷ ପର୍ଯ୍ୟନ୍ତ ପିଲାମାନଙ୍କୁ ଏହି ଔଷଧ ଅଙ୍ଗନଓ୍ବାଡି କର୍ମୀ ଓ ଦମନ ସ୍ବେଚ୍ଛାସେବୀଙ୍କ ଦ୍ୱାରା ଖାଇବାକୁ ଦିଆଯିବ। ଏଥିରେ ଆଶାକର୍ମୀ ସହାୟତା କରିବେ। ସେହିପରି ଫାଇଲେରିଆ ବ୍ୟାପକତା ଥିବାରୁ ବାଲେଶ୍ୱର, ଖୋର୍ଦ୍ଧା, କଟକ, ଢେଙ୍କାନାଳ ଓ ନୂଆପଡ଼ା ଆଦି ୫ଟି ଜିଲାରେ ଘରକୁ ଘର ବୁଲି ୨ବର୍ଷରୁ ଊର୍ଦ୍ଧ୍ୱ ସମସ୍ତଙ୍କୁ ଫାଇଲେରିଆ ବଟିକା ସହିତ କୃମିନାଶ ବଟିକା ଦିଆଯିବ। ଏହାଛଡ଼ା ରାଜ୍ୟ ସରକାରଙ୍କ ଦ୍ୱାରା ଏହି ଚଳିତ ମାସରେ ୩୦ଟି ଜିଲାରେ ୯ମାସରୁ ୫ବର୍ଷ ବୟସ ପର୍ଯ୍ୟନ୍ତ ସମସ୍ତ ପିଲାମାନଙ୍କୁ ଟୀକାକରଣ କେନ୍ଦ୍ର ଓ ସ୍ବତନ୍ତ୍ର ଗ୍ରାମ୍ୟ ସ୍ବାସ୍ଥ୍ୟ ଓ ପୁଷ୍ଟି ଦିବସରେ ଭିଟାମିନ୍‌ ‘ଏ’ ଦ୍ରବଣ ଖାଇବାକୁ ଦିଆଯିବ ବୋଲି ସୂଚନା ଦିଆଯାଇଛି। ଇମେଜ୍‌ଠାରେ ଆୟୋଜିତ ଏହି ଖବରଦାତା ସମ୍ମିଳନୀରେ ପରିବାର କଲ୍ୟାଣ ନିର୍ଦ୍ଦେଶକ, ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରତିଷ୍ଠାନର ନିର୍ଦ୍ଦେଶକ, ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଓ ସ୍ବାସ୍ଥ୍ୟ ସେବା ନିର୍ଦ୍ଦେଶକ ଉପସ୍ଥିତ ଥିଲେ।