୮ରେ ‘ଅଶୀରେ ବସନ୍ତ ଉତ୍ସବ’

ଭୁବନେଶ୍ୱର, ୩୧ା୧୨ (ବ୍ୟୁରୋ): ଖବରଦାତା, ସ୍ତମ୍ଭକାର ଏବଂ ‘ଓଡ଼ିଶା ସାହିତ୍ୟ ଏକାଡ଼େମୀ’ ପୁରସ୍କାରପ୍ରାପ୍ତ ସାହିତି୍ୟକ ବସନ୍ତ ଦାସଙ୍କ ଅଶୀ ବର୍ଷ ଜନ୍ମଦିନ ଉପଲକ୍ଷେ ‘ଅଶୀରେ ବସନ୍ତ ଉତ୍ସବ’ ଆୟୋଜନ ହେଉଛି। ଜାନୁୟାରୀ ୮ରେ ସ୍ଥାନୀୟ ଇଡ୍‌କଲ ଅଡିଟୋରିୟମରେ ହେବାକୁ ଥିବା ଏହି ଉତ୍ସବକୁ ଉଦ୍‌ଘାଟନ କରିବାକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କୁ ଅନୁରୋଧ କରାଯାଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଥିରେ ମୁଖ୍ୟଅତିଥି, ଓଡ଼ିଶା ସୂଚନା ଓ ଲୋକସମ୍ପର୍କ ଏବଂ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ସମ୍ମାନିତ ଅତିଥିଭାବେ ଯୋଗଦେବା କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ‘ଅଶୀରେ ବସନ୍ତ’ ଶୀର୍ଷକ ଏକ ପୁସ୍ତକ ଲୋକାର୍ପିତ ହେବ ବୋଲି ସୋମବାର ଏକ ଖବରଦାତା ସମ୍ମିଳନୀରେ ଉତ୍ସବ କମିଟିର ଆବାହକ ଡ. ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଜଣାଇଛନ୍ତି।
ଉଲ୍ଲେଖଯୋଗ୍ୟ, ୧୯୬୫ରେ ସାହିତି୍ୟକ ଦାସ ନିଜର ଖବରଦାତା ଜୀବନ ଆରମ୍ଭ କରିଥିଲେ। ସେ ଓଡ଼ିଆ, ବଙ୍ଗଳା ଓ ଇଂଲିଶ୍‌ ଖବରକାଗଜର ପ୍ରତିନିଧିତ୍ୱ କରି ୧୯୯୬ରେ ‘ଅମୃତ ବଜାର ପତ୍ରିକା’ ଗ୍ରୁପ୍‌ର ଓଡ଼ିଶା ବ୍ୟୁରୋ ଚିଫ୍‌ଭାବେ ଅବସର ଗ୍ରହଣ କରିଥିଲେ। ଏହି ସମୟ ମଧ୍ୟରେ ଓଡ଼ିଆ ଓ ଇଂଲିଶ୍‌ ଭାଷାରେ ସେ ରଚନା କରିଥିବା ଷୋଳଖଣ୍ଡ ପୁସ୍ତକ ମଧ୍ୟରେ ‘ଓଡ଼ିଶା ରାଜନୀତିର ଗୋପନ କଥା’ ଏବଂ ‘ଫୁଟ୍‌ ପ୍ରିଣ୍ଟସ ଅଫ୍‌ ଇଭେଣ୍ଟଫୁଲ୍‌ ଡେଜ୍‌: ୧୮୦୩-୨୦୦୩’କୁ ଓଡ଼ିଶା ରାଜନୀତିର ଚଳନ୍ତି ଇତିହାସ ଭାବରେ ବିଚାର କରାଯାଏ। ସାହିତି୍ୟକ ଦାସ ବିଶ୍ୱର କୋଡ଼ିଏଟି ରାଷ୍ଟ୍ର ଭ୍ରମଣ କରି ସେହି ଅନୁଭୂତି ଆଧାରରେ ଲେଖିଥିବା ଭ୍ରମଣ କାହାଣୀ ପୁସ୍ତକ ‘ଯେ ଦେଶ ଯାଇ ସେ ଫଳ ଖାଇ’ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଛି। ତାଙ୍କ ଦ୍ୱାରା ପ୍ରତିଷ୍ଠିତ ‘ମିଡିଆ ଏକାଡେମୀ’ ପକ୍ଷରୁ ଖବରଦାତା ବୃତ୍ତିରେ ନବାଗତଙ୍କୁ ବିଭିନ୍ନ ତଥ୍ୟ ଓ ତାଲିମ୍‌ ଯୋଗାଇବା ସହ ପ୍ରତିବର୍ଷ ରାଜ୍ୟର ଜଣେ ଲବ୍ଧପ୍ରତିଷ୍ଠ ସାମ୍ବାଦିକଙ୍କୁ ମିଡିଆ ଏକାଡେମୀ ସମ୍ମାନ ପ୍ରଦାନ ଓ ସମ୍ବର୍ଦ୍ଧନା ଜ୍ଞାପନ କରାଯାଉଛି।