୭ ଦିନ ବନ୍ଦ ରହିବ ସୂର୍ଯ୍ୟମନ୍ଦିର: ଭୟରେ ପର୍ଯ୍ୟଟକ ଶୂନ୍ୟ

କୋଣାର୍କ,୧୬।୩(ଡି.ଏନ.ଏ): କରୋନା ଭାଇରସ ପ୍ରଭାବରେ ସମଗ୍ର ବିଶ୍ୱ ଆତଙ୍କିତ ଅବସ୍ଥାରେ ଥିବାବେଳେ ସରକାର ପ୍ରତି ଜନସମାଗମକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅବସରରେ ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର ସୋମବାରଠାରୁ ୭ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ପୁରୀ ଜିଲା ପ୍ରଶାସନ ପକ୍ଷରୁ ଆଡଭାଇଜରି ଜାରି ହୋଇଛି। ତେବେ ରବିବାର ଛୁଟିଦିନ ଅବସରରେ କୋଣାର୍କ ସୂର୍ଯ୍ୟମନ୍ଦିର ପରିସର ଲୋକାରଣ୍ୟ ହେବା ପରିବର୍ତ୍ତେ କରୋନା ଭୟରେ ମନ୍ଦିର ସମ୍ପୂର୍ଣ୍ଣ ପର୍ଯ୍ୟଟକ ଶୂନ୍ୟ ହୋଇପଡ଼ିଛି। ସାଧାରଣ ଦିନଠାରୁ ମଧ୍ୟ ପର୍ଯ୍ୟଟକ ସଂଖ୍ୟା କମିଯାଇଥିବାର ଦେଖିବାକୁ ମିଳିଛି। ଅନ୍ୟପକ୍ଷେ ଦାୟିତ୍ୱରେ ଥିବା ଏଏସ୍‌ଆଇ କର୍ତ୍ତୃପକ୍ଷ ଏଥିପାଇଁ କୌଣସି ସଚେତନତା ସୃଷ୍ଟି ନ କରିବା କୋଣାର୍କ ଅଞ୍ଚଳରେ ବିସ୍ମୟ ସୃଷ୍ଟି କରିଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଏସ୍‌ଆଇ ଦ୍ୱାରା ପରିଚାଳିତ ସୂର୍ଯ୍ୟମନ୍ଦିର ପରିଦର୍ଶନରେ ଆସୁଥିବା ପର୍ଯ୍ୟଟକଙ୍କ ନିମନ୍ତେ କରୋନା ପ୍ରଭାବରୁ ସଚେତନତା ପାଇଁ ମାସ୍କ ବଣ୍ଟନ, ହାତ ଧୁଆ ବ୍ୟବସ୍ଥା କରାଯାଇ ନାହିଁ। କେବଳ ଦାୟିତ୍ୱରେ ଥିବା ସୁରକ୍ଷା କର୍ମୀ ଓ କାର୍ଯ୍ୟରତ ଏଏସଆଇ କର୍ମଚାରୀଙ୍କୁ ମାସ୍କ ବ୍ୟବହାର ପାଇଁ ଦିଆଯାଇଥିବାରୁ ପର୍ଯ୍ୟଟନପ୍ରେମୀ ଅସନ୍ତୋଷ ପ୍ରକାଶ କରିଛନ୍ତି। କରୋନାର ପ୍ରତିଷେଧକ ବ୍ୟବସ୍ଥା ପାଇଁ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଆଡଭାଇଜରି ଜାରି କରି ସୂର୍ଯ୍ୟମନ୍ଦିରରେ ସଚେତନତା ଚାଲିଥିବାବେଳେ ଏଏସ୍‌ଆଇ କର୍ତ୍ତୃପକ୍ଷ ଏଥିପ୍ରତି କିଭଳି ଗୁରୁତ୍ୱ ଆରୋପ ନ କରିବା ଚିନ୍ତାର ବିଷୟ ପାଲଟିଛି। ପର୍ଯ୍ୟଟକ କମିବା ଯୋଗୁ କୋଣାର୍କରେ ଥିବା ହୋଟେଲ, ହସ୍ତଶିଳ୍ପ ବ୍ୟବସାୟୀ, ବ୍ୟାଙ୍କ ପ୍ରତିଷ୍ଠାନଗୁଡିକରେ କାରବାର ବାଧାପ୍ରାପ୍ତ ହେବା ସହ ଘରୋଇ ବସ ଚଳାଚଳ ବିଶେଷ ଭାବରେ ପ୍ରବାହିତ ହୋଇଛି। ଏହି ଅବସରରେ ରାଜ୍ୟ ତଥା ରାଜ୍ୟ ବାହାରୁ କୋଣାର୍କ ମନ୍ଦିର ପରିଦର୍ଶନରେ ଆସୁଥିବା ପର୍ଯ୍ୟଟକଙ୍କ ନିମନ୍ତେ ପୁରୀ ଜିଲା ପ୍ରଶାସନ ପକ୍ଷରୁ ସୂର୍ଯ୍ୟମନ୍ଦିର ଭ୍ରମଣ ଉପରେ ୭ଦିନ ପାଇଁ କଟକଣା ଜାରି କରାଯାଇଛି। ପୁରୀ ଜିଲାପାଳ ବଲୱନ୍ତ ସିଂ ରବିବାର ଏ ନେଇ ଏକ ଆଡଭାଇଜରି କରି ୭ଦିନ ପାଇଁ କୋଣାର୍କ ସୂର୍ଯ୍ୟମନ୍ଦିରକୁ ପର୍ଯ୍ୟଟକ ନିମନ୍ତେ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦେବା ସହ ମୁଖ୍ୟ ଫାଟକରେ ତାଲା ପକାଇବା ପାଇଁ ଏଏସ୍‌ଆଇ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଛନ୍ତି। କରୋନା ପ୍ରଭାବରୁ ପର୍ଯ୍ୟଟନ ସ୍ଥଳୀ କୋଣାର୍କକୁ ରକ୍ଷା କରିବା ପାଇଁ ପୁରୀ ଜିଲାପାଳଙ୍କ ଏଭଳି ନିର୍ଦ୍ଦେଶନାମାକୁ କୋଣାର୍କ ଅଞ୍ଚଳବାସୀ ଭୂୟସୀ ପ୍ରଶଂସା କରିଛନ୍ତି।