୭ ଦିନର ଶିଶୁ କନ୍ୟା ଉଦ୍ଧାର

ଜଗତ୍‌ସିଂହପୁର ଅଫିସ୍‌, ୧୮ା୧: ଶୁକ୍ରବାର ଜଗତ୍‌ସିଂହପୁର ଜିଲା ପଳାଶୋଳ ଗ୍ରାମରୁ ଚାଇଲ୍ଡ ଲାଇନ୍‌ ଓ ଜିଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଏକ ୭ ଦିନର ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି। ପଳାଶୋଳର କବିତା ସାହୁ ଓ ତାଙ୍କ ସ୍ବାମୀ ନିତ୍ୟାନନ୍ଦ ସାହୁ ଶିଶୁକନ୍ୟାକୁ ରଖିଥିଲେ। ଜିଲା ଶିଶୁ ମଙ୍ଗଳ ସମିତି (ସିଡବ୍ଲ୍ୟୁସି)ରେ ହାଜର କରାଯିବା ପରେ ଶିଶୁକନ୍ୟାକୁ ସ୍ଥାନୀୟ ଶିଶୁ ଆଶ୍ରମରେ ରଖାଯାଇଥିବା ସିଡବ୍ଲ୍ୟୁସି ଅଧ୍ୟକ୍ଷା ବିଶେଶ୍ୱରୀ ମହାନ୍ତି କହିଛନ୍ତି। ନିତ୍ୟାନନ୍ଦଙ୍କ କହିବା ଅନୁସାରେ, ଜିଲା ମୁଖ୍ୟ ଚିକିତ୍ସାଳୟ ନିକଟରେ ଜଣେ ମହିଳା ଉକ୍ତ ଶିଶୁକନ୍ୟାକୁ ଧରି କାନ୍ଦୁଥିବା ଦେଖିଥିଲେ। କାହିଁକି କାନ୍ଦୁଛନ୍ତି ବୋଲି ପଚାରିବାରୁ ମହିଳା ଜଣକ କହିଥିଲେ, ତାଙ୍କ ଆର୍ଥିକ ସ୍ଥିତି ଭଲ ନାହିଁ। ପୂର୍ବରୁ ୩ଟି ଝିଅ ଅଛନ୍ତି। ଆଉ ଏକ ଝିଅର ଲାଳନ ପାଳନ କରିବା ତାଙ୍କ ପକ୍ଷେ କଷ୍ଟକର। ଏ ପରିସ୍ଥିତିରେ କେହି ଛୁଆଟିକୁ ନେଇଗଲେ ସେ ଖୁସି ହେବେ ବୋଲି କହିଥିଲେ। ହେଲେ ନିଜର ସନ୍ତାନ ନ ଥିବାରୁ ସେ ଶିଶୁକନ୍ୟାକୁ ଆଣିଥିଲେ ବୋଲି ନିତ୍ୟାନନ୍ଦ କହିଛନ୍ତି। କିନ୍ତୁ ନିତ୍ୟାନନ୍ଦ ଶିଶୁକନ୍ୟାଙ୍କ ମା’ଙ୍କ ନାମ କହିବାକୁ ଚାହୁନାହାନ୍ତି। ତେଣୁ ପିଲା କିଣାବିକା ହୋଇଥିବା ସନ୍ଦେହ କରାଯାଉଛି। ଅଧିକ ଅନୁଧ୍ୟାନ ପରେ ସତ୍ୟାସତ୍ୟ ପଦାକୁ ଆସିବ ବୋଲି ସିଡବ୍ଲ୍ୟୁସି ପକ୍ଷରୁ କୁହାଯାଇଛି।