୭ ଦିନରେ ୫ ଜଣଙ୍କ ଘରୁ ଚୋରି

ଭୁବନେଶ୍ୱର,୧୮ା୪(ବ୍ୟୁରୋ): ଲକ୍‌ଡାଉନ୍‌ ଅବଧି ଏବେ ଚୋରଙ୍କୁ ସୁହାଉଛି। କରୋନା ଭୟରେ ରାଜଧାନୀ ଛାଡ଼ି ଗ୍ରାମକୁ ଯାଇଥିବା ଲୋକଙ୍କ ଘର ଏବେ ଅସୁରକ୍ଷିତ। ଚୋରମାନେ ଘର ତାଲା ଭାଙ୍ଗି ସର୍ବସ୍ବ ଲୁଟି ନେଉଛନ୍ତି। ଗତ ୭ ଦିନ ଭିତରେ ରାଜଧାନୀରେ ୫ ଜଣଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଏବଂ ଟଙ୍କା ଲୁଟ ହୋଇଛି। ପୋଲିସ ଲକ୍‌ଡାଉନ ଡିଉଟିରେ ବ୍ୟସ୍ତ ରହୁଥିବାରୁ ଚୋରମାନେ ନିର୍ଭୟରେ ଚୋରି କରୁଛନ୍ତି।
ଗତ ୧୧ ତାରିଖ ରାତିରେ ଲକ୍ଷ୍ମୀସାଗର ଥାନା ଝାରପଡ଼ା ବୈରାଗୀ ନଗରରେ ଥିବା ଦୁଇ ଜଣଙ୍କ ଘରୁ ଲୁଟ ହୋଇଥିଲା। ସବୁଠୁ ବଡ଼ କଥା ହେଲା ଜଣେ ମହିଳାଙ୍କୁ ନିଶା ଔଷଧ ସ୍ପ୍ରେ କରି ଚୋରମାନେ କଳାକନା ବୁଲାଇଥିଲେ। ଏହି ମାମଲାରେ ପୋଲିସ କୌଣସି ଅପରାଧୀଙ୍କୁ ଗିରଫ କରି ନ ଥିବା ବେଳେ, ବୁଧବାର ରାତିରେ ଶହୀଦନଗର ଥାନା ଟଙ୍କପାଣିରୋଡ଼ ସାଇବିହାର ପ୍ଲଟ ନଂ-୧୩/୫୧୦ରେ ରହୁଥିବା ଅତିଶ୍‌ ପଟ୍ଟନାୟକଙ୍କ ଘରୁ ୫୦ ହଜାର ଟଙ୍କା ଓ ଦେଢ ଲକ୍ଷ ଟଙ୍କାର ସୁନାଗହଣା ଲୁଟ୍‌ କରିଛନ୍ତି। ଚୋରମାନେ ଘର ମାଲିକ ସ୍ବର୍ଣ୍ଣଲତା ମହାନ୍ତିଙ୍କ ଘରୁ ମଧ୍ୟ ଲୁଟ୍‌ କରିଛନ୍ତି। ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି ଯେ, ଚୋରି ବଢୁଥିବାରୁ ଆମେ ପାଟ୍ରୋଲିଂକୁ କଡ଼ାକଡ଼ି କରିବା ସହ ବାଇକ୍‌ ପାଟ୍ରୋଲିଂ ଉପରେ ଅଧିକ ଗୁରୁତ୍ୱ ଦେବୁ।