୭ ଦଲାଲ୍‌ଙ୍କୁ ଗିରଫ କଲା ପୋଲିସ

ଅନୁଗୋଳ ଅଫିସ, ୨୫।୨

ଅନୁଗୋଳ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଦଲାଲି କରୁଥିବା ଅଭିଯୋଗରେ ୭ଜଣଙ୍କୁ ଅନୁଗୋଳ ପୋଲିସ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି। ଏ ସଂକ୍ରାନ୍ତରେ ନଂ. ୨୨୪/୨୦ରେ ଏକ ମାମଲା ରୁଜୁ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଜରାସିଂହାର ଶ୍ରୀକାନ୍ତ କୁମାର ସାହୁ, ଶ୍ରୀଧର କୁମାର ସାହୁ, ହୁଲୁରିସିଂହାର ନିରଞ୍ଜନ ସେଠୀ, କରଡ଼ାଗାଡ଼ିଆର ଚିତ୍ତରଞ୍ଜନ ନାଏକ, ନାଲ୍‌କୋ ଥାନା ବଳରାମପ୍ରସାଦର ଧ୍ରୁବଚରଣ ମହାପାତ୍ର, କରଡ଼ାଗାଡ଼ିଆର ଗତିକୃଷ୍ଣ ନାୟକ ଓ ରାଣୀଗୋଡ଼ାର ବିକାଶ ଦେହୁରୀ। ସେମାନଙ୍କ ନିକଟରୁ ପରିବହନ କାର୍ଯ୍ୟାଳୟ ସହ ସମ୍ବନ୍ଧ ଥିବା କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପୋଲିସ ଜବତ କରାଯାଇଥିବା ଜିଲା ପୋଲିସ ମୁଖ୍ୟାଳୟ ପକ୍ଷରୁ ପ୍ରେସ୍‌ବିବୃତିରେ ସୂଚନା ଦିଆଯାଇଛି।
ଅନୁଗୋଳ ଥାନା ଏସ୍‌ଆଇ ତୁଷାର ମହାନ୍ତି ବିଶ୍ୱସ୍ତସୂତ୍ରରୁ ଖବର ପାଇ ଆର୍‌ଟିଓ କାର୍ଯ୍ୟାଳୟରେ ସୋମବାର ଚଢ଼ାଉ କରିଥିଲେ। ଏହି ସମୟରେ ବିଭିନ୍ନ କାର୍ଯ୍ୟ ନେଇ ଆସିଥିବା ଗାଡ଼ି ଚାଳକ ଓ ମାଲିକଙ୍କ କେତେକ କାର୍ଯ୍ୟ ସେଠାରେ ଥିବା ଦଲାଲମାନେ କରୁଥିବା ପୋଲିସ ଦେଖିବାକୁ ପାଇଥିଲା। ଏପରି କି ସରକାର ଧାର୍ଯ୍ୟ କରିଥିବା ଅର୍ଥ ଠାରୁ ଦଲାଲ୍‌ମାନେ ଅଧିକ ଟଙ୍କା ନେଇ ଲୋକଙ୍କ କାର୍ଯ୍ୟ କରୁଥିବା ପୋଲିସ ଜାଣିବାକୁ ପାଇଥିଲା। ସେମାନଙ୍କୁ ଧରି ପଚରାଉଚରା ସମୟରେ ଅନୁଗୋଳ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଦଲାଲ୍‌ଗିରି କରୁଥିବା ପୋଲିସ ଜାଣିବାକୁ ପାଇଥିଲା। ଏହାପରେ ପୋଲିସ ୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏସ୍‌ଆଇ ସତ୍ୟରଞ୍ଜନ ଲେଙ୍କା ମାମଲାର ଅଧିକ ତଦନ୍ତ କରୁଥିବା ପୋଲିସ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ ଯେ, ଗତବର୍ଷ ସେପ୍ଟେମ୍ବର ୨୭ରେ ଆର୍‌ଟିଓ କାର୍ଯ୍ୟାଳୟର ୩ ଜଣ ଦଲାଲଙ୍କୁ କରାଯାଇଥିବାବେଳେ ମେଡିକାଲରୁ ୪ ଜଣଙ୍କୁ ଅନୁଗୋଳ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା।