୭ ଦଫା ଦାବି ନେଇ ଗଞ୍ଜାମ ଜିଲାପାଳଙ୍କ ଅଫିସ ଘେରିଲେ ଆଦିବାସୀ

ଛତ୍ରପୁର,୨୭।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ବିଭିନ୍ନ ଆଦିବାସୀ ସଂଗଠନ ପକ୍ଷରୁ ୭ ଦଫା ଦାବି ନେଇ ସୋମବାର ଛତ୍ରପୁରସ୍ଥିତ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି। ଏଥିସହ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଧାରଣା ଜାରି ରାହିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ଆଦିବାସୀ ଓ ପାରମ୍ପରିକ ବନବାସୀଙ୍କୁ ଜମି ଏବଂ ଜଙ୍ଗଳ ଅଧିକାର, ବିଭିନ୍ନ ମୌଳିକ ସମସ୍ୟାର ସ୍ଥାୟୀ ସମାଧାନ, ଜିଲାରେ ନାକଚ ହୋଇଥିବା ୬୩୪୩ ଆବେଦନକାରୀଙ୍କୁ ଜଙ୍ଗଲର ଶିରୋନାମା ତୁରନ୍ତ ପ୍ରଦାନ ଆଦି ଦାବି ନେଇ ଏହି ଆନ୍ଦୋଳନ ଜାରି ରହିଛି। ଏଥିରେ ଅଖିଳ ଭାରତ କିଷାନ ମଜଦୁର ସଭା, ଆଦିବାସୀ ଭାରତ ମହାସଭା, ଚାଷୀ ମୂଲିଆ ସଂଘ, ଜିଲା ଆଦିବାସୀ ମଞ୍ଚ, ଜିଲା ଗ୍ରାମ ସଭା ସାମ୍ମୁଖ୍ୟ ସଂଗଠନ ସାମିଲ ହୋଇଛନ୍ତି । ଖବରପାଇ ମାଜିଷ୍ଟ୍ରେଟ୍‌ ଉପସ୍ଥିତ ଥିବା ବେଳେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।
ଏ ନେଇ ଜିଲାପାଳଙ୍କ କାର୍ଯ୍ୟାଳୟର ମୁଖ୍ୟ ଫାଟକକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିଦିଆଯାଇଛି । ଏଥିରେ ଏଆଇକେଏମଏକସ୍‌ର ଜିଲା ସମ୍ପାଦକ ରଘୁନାଥ ନାୟକ, ରାଜ୍ୟ ମୁଖପାତ୍ର ଭାଲ ଚନ୍ଦ୍ର ଷଡଙ୍ଗୀ, ଆଦିବାସୀ ଭାରତ ମହାସଭାର ଜିଲା ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ ପ୍ରମୁଖ ସାମିଲ ହୋଇଛନ୍ତି।