୭୬ ଦିନ ମଧ୍ୟରେ ଭାରତରେ କରୋନା ସଂକ୍ରମଣ  ଶୀର୍ଷରେ ପହଞ୍ଚିବ: ଆଇସିଏମ୍‌ଆର୍‌

ନୂଆଦିଲ୍ଲୀ,୧୫।୬: କରୋନା ସଂକ୍ରମଣ ଯୋଗୁ ଭାରତରେ ସ୍ଥିତି କ୍ରମଶଃ ସଙ୍କଟ ଜେନକ ହେବାରେ ଲାଗିଛି। ଏପରିସ୍ଥଳେ ଆଇସିଏମ୍‌ଆର୍‌ ପକ୍ଷରୁ ପ୍ରକାଶିତ ଏକ ସର୍ଭେ ରିପୋର୍ଟରେ ଉଲ୍ଲେଖ ହୋଇଛି। ଏଥିରେ କୁହାଯାଇଛି ଯେ, ଦେଶରେ କରୋନା ସଂକ୍ରମଣ ୩୪ ଦିନରୁ ୭୬ ଦିନ ମଧ୍ୟରେ ଶୀର୍ଷରେ ପହଞ୍ଚିବାର ଆଶଙ୍କା ରହିଛି। ପ୍ରାୟତଃ ନଭେମ୍ବର ବେଳକୁ ଏହି ସମୟ ଆସିବ ବୋଲି ଆଇସିଏମ୍‌ଆର୍‌ କହିଛି। ଏହି ସମୟରେ ଦେଶରେ ଅଧିକ ଆଇସୋଲେଶନ ସେଣ୍ଟର, ଆଇସିୟୁ ଶଯ୍ୟା, ଭେଣ୍ଟିଲେଟର ଆଦିର ଆବଶ୍ୟକତା ପଡ଼ିବ। ଲକ୍‌ଡାଉନ୍‌ ଯୋଗୁ ସୁଫଳ ମିଳିଛି। ତେଣୁ କରୋନା ସଂକ୍ରମଣ ଶୀର୍ଷରେ ପହଞ୍ଚିବା ସମୟ ୮ ସପ୍ତାହ ପଛେଇ ଯାଇଛି। ତେବେ ସାମାଜିକ ସ୍ବାସ୍ଥ୍ୟ ସୁରକ୍ଷା ପ୍ରତି ଅଧିକ ଗୁରୁତ୍ୱ ଦେବାର ସମୟ ଆସିଥିବା ଏହି ରିପୋର୍ଟରେ କୁହାଯାଇଛି। ଲକ୍‌ଡାଉନ୍‌ ଯୋଗୁ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୬୯ରୁ ୯୭ ପ୍ରତିଶତ ପର୍ଯ୍ୟନ୍ତ କମି ଯାଇଛି। ଲକ୍‌ ଡାଉନ୍‌ ସମୟରେ ମଧ୍ୟରେ ସରକାର ଆବଶ୍ୟକ ଚିକିତ୍ସା ସୁବିଧା ଯୋଗାଡ଼ କରିବା ସହିତ କ୍ୱାରାଣ୍ଟାଇନ୍‌ ସେଣ୍ଟରଗୁଡ଼ିକୁ ସୁଦୃଢ଼ କରିବାକୁ ସକ୍ଷମ ହୋଇପାରିଛନ୍ତି। ଲକ୍‌ଡାଉନ୍‌ ପରେ ସାର୍ବଜନୀକ ସୁବିଧା ସୁଯୋଗ ୬୦ ପ୍ରତିଶତ ପର୍ଯ୍ୟନ୍ତ ସଫଳ ହୋଇପାରିଛି। ଅବଶିଷ୍ଟ ସ୍ବାସ୍ଥ୍ୟ ସୁବିଧା ନଭେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ଯୋଗାଇବା ସମ୍ଭବ ହୋଇପାରିବାର ଆଶା ରହିଛି ବୋଲି ରିପୋର୍ଟରେ ଦର୍ଶାଯାଇଛି।

Share