୭୨ବର୍ଷ ପରେ ଭୁର୍ଷିବାଂଜି ଗାଁରେ ଜଳିଲା ବିଜୁଳି

ଖପ୍ରାଖୋଲ, ୧୦ା୯(ଡି.ଏନ.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଭାନପୁର ପଞ୍ଚାୟତ ଅନ୍ତର୍ଗତ ଭୁର୍ଷିବାଂଜି ଗାଁରେ ବିଜୁଳି ଆଲୁଆ ମଙ୍ଗଳବାର ଜଳିଛି ା ଗ୍ରାମବାସୀଙ୍କ ଦୀର୍ଘ ଦିନର ପ୍ରତୀକ୍ଷାର ଅନ୍ତ ଘଟିଛି । ସ୍ବାଧୀନତାର ୭୨ ବର୍ଷ ପରେ ଏହି ଗାଁ ଲୋକ ବିଜୁଳି ଆଲୁଅ ଦେଖିଛନ୍ତି। ଗ୍ରାମବାସୀ ଅନେକ ଥର ରାଜନୈତିକ ବ୍ୟକ୍ତି, ଜିଲାପାଳ, ଉପଜିଲାପାଳ, ବ୍ଲକ ପ୍ରଶାସନ ପାଖରେ ଜଣାଇଥିଲେ। ଏ ନେଇ ଧରିତ୍ରୀରେ ବିଜୁଳି ଆଲୁଆ ଦେଖି ନାହାନ୍ତି ଭୁର୍ଷିବାଂଜି ଗ୍ରାମବାସୀ ଶୀର୍ଷକ ଖବର ଗତ ଫେବ୍ରୁୟାରୀ ୧ ତାରିଖରେ ପ୍ରକାଶିତ ହୋଇଥିଲା । ଏହା ପରେ ପ୍ରଶାସନିକ ସ୍ତରରେ ତପତ୍ରତା ପ୍ରକାଶ ପାଇବା ସହ ଏନଟିପିସିର ଏକ ପ୍ରତିନିଧି ଦଳ ଗାଁରେ ପହଞ୍ଚିଥିଲେ । ସେହିପରି ତିନି ମାସ ତଳେ ବଲାଙ୍ଗୀର ପିଡି ଡିଆରଡିଏ ଡା. ମହେଶ୍ୱର ସ୍ବାଇଁ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ତରଣୀ ସୁନା, ଜିଲା ପରିଷଦ ସଭ୍ୟ ବିପ୍ର ବିଶି, ସତ୍ୟନାରାୟଣ ଭୋଇ ପ୍ରମୁଖ ଗାଁରେ ପହଞ୍ଚି ଲୋକଙ୍କ ସମସ୍ୟା ପଚାରି ବୁଝିଥିଲେ ା ଏହା ପରେ ବିଦ୍ୟୁତୀକରଣ କାର୍ଯ୍ୟ ତ୍ୱରାନ୍ବିତ ହୋଇଥିଲା। ବିଦ୍ୟୁତ ସଂଯୋଗ ସମୟରେ ଏନ୍‌ଟିପିସିର ଇଂ.ରଶ୍ମିରଞ୍ଜନ ଦାଶ, ଇଂ.ନିହାର ରଞ୍ଜନ ସାହୁ, ଇଂ.ବିଶ୍ୱରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।