୭୧୦ ଶିଶୁ, ୧୭୩ ଗର୍ଭବତୀଙ୍କୁ ଦିଆଯିବ ଟିକା

ଫୁଲବାଣୀ ଅଫିସ, ୩୦ା୧୧ -କନ୍ଧମାଳ ଜିଲାରେ ମିଶନ ଇନ୍ଦ୍ରଧନୁଷ୍‌ ୨.୦ କାର୍ଯ୍ୟକ୍ରମ ଆସନ୍ତା ୨ତାରିଖରୁ ଆରମ୍ଭ
ହେବ। ଏହି କାର୍ଯ୍ୟକ୍ରମ ୪ଟି ପର୍ଯ୍ୟାୟରେ ଜିଲାରେ କାର୍ଯ୍ୟକାରୀ କରାଯିବ। ଶୂନରୁ ୨ ବର୍ଷ ପର୍ଯ୍ୟନ୍ତ ପିଲା ଏବଂ ଗର୍ଭବତୀଙ୍କୁ ଟିକାକରଣ
କରାଯିବ। ଏଥିପାଇଁ ଜିଲାରେ ୭୧୦ ଶିଶୁ ଏବଂ ୧୭୩ ଗର୍ଭବତୀଙ୍କୁ ଚିହ୍ନଟ
କରାଯାଇଛି। ସେମାନଙ୍କ ମଧ୍ୟରୁ ଦାରିଙ୍ଗବାଡ଼ିରେ ୧୯୭, କୋଟଗଡ଼ରେ ୧୧୩, ଫିରିଙ୍ଗିଆରେ ୧୧୦ ଶିଶୁ ରହିଥିବା ବେଳେ ଫିରିଙ୍ଗିିଆରେ ୩୭ ଓ ଟିକାବାଲିରେ ୩୦ ଗର୍ଭବତୀ ଅଛନ୍ତି। ଯେଉଁମାନେ ଟିକା ନେବେ ସେମାନେ ଅତି କମ୍‌ରେ ୩୦ମିନିଟ ପର୍ଯ୍ୟନ୍ତ ଟିକାକରଣ କେନ୍ଦ୍ରରେ ରହିବାକୁ କୁହାଯାଇଛି।
ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଜିଲା ଏବଂ ବ୍ଲକସ୍ତରରେ ଟାସ୍କ ଫୋର୍ସ ମିଟିଂ କରାଯାଇଛି ବୋଲି ଶୁକ୍ରବାର ଜିଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଅତିରିକ୍ତ ଜିଲା ଚିକିତ୍ସାଧିକାରୀ(ପରିବାର ମଙ୍ଗଳ) ପ୍ରସନ୍ନ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି। ସେ ଆହୁରି କହିଛନ୍ତି, ଆଶା, ଅଙ୍ଗନୱାଡି କର୍ମୀ ନିଜ ଅଞ୍ଚଳରେ ପ୍ରତ୍ୟେକ ଘର ବୁଲି ଟିକାକରଣ ପାଇଁ ଉଭୟ ଶିଶୁ ଏବଂ ଗର୍ଭବତୀଙ୍କ ତାଲିକା ପ୍ରସ୍ତୁତ କରିଛନ୍ତି। ଜିଲାସ୍ତରର ସମସ୍ତ ସ୍ବାସ୍ଥ୍ୟକର୍ମଚାରୀଙ୍କୁ ଏ ବିଷୟରେ ତାଲିମ ପ୍ରଦାନ କରାଯାଇଛି। ସେହିପରି ଗୋଷ୍ଠୀ ବେତାର ମାଧ୍ୟମରେ ବାର୍ତ୍ତା ପ୍ରଚାର, ସମସ୍ତ ହିତାଧିକାରୀଙ୍କୁ ନିମନ୍ତ୍ରଣ ପତ୍ର ଏବଂ ପୋଷ୍ଟକାର୍ଡ ପ୍ରେରଣ କରାଯାଇଥିବା ବେଳେ ସ୍ବାସ୍ଥ୍ୟ କାନ୍ଥରେ ମଧ୍ୟ ସୂଚନା ଦିଆଯାଇଛି। ଯେପରି ଟିକାକରଣରୁ କେହି ବଞ୍ଚିତ ନ ହେବେ ସେଥିପ୍ରତି ସମସ୍ତେ ଦୃଷ୍ଟି ଦେବାକୁ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ରାଜଶ୍ରୀ ପଟ୍ଟନାୟକ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ବୈଠକରେ ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ ଡା. ବସନ୍ତ କୁମାର ପାତ୍ର, ଜିଲା ପ୍ରୋଗ୍ରାମ ପରିଚାଳକ ମନୋରଞ୍ଜନ ସାହୁ, ଭାରପ୍ରାପ୍ତ ଅତିରିକ୍ତ ଜିଲା ଜନସ୍ବାସ୍ଥ୍ୟ ଯୋଗାଯୋଗ ଅଧିକାରୀ ଜ୍ୟୋତ୍ସ୍ନାରାଣୀ ମହାନ୍ତି, ଜିଲା ପ୍ରଜନନ ଓ ଶିଶୁ ଅଧିକାରୀ ଆଶିଷ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।