୭ରୁ ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମାଘମେଳା

ଢେଙ୍କାନାଳ ଅଫିସ, ୧୪।୧

ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମାଘମେଳା ଫେବୃୟାରୀ ୭ରୁ ୯ ଯାଏ ଅନୁଷ୍ଠିତ ହେବ। ଏହି ଉପଲକ୍ଷେ ସୋମବାର ଅପରାହ୍ନ ୩ଟାରେ ଯୋରନ୍ଦା ପଞ୍ଚାୟତ କାର୍ଯ୍ୟାଳୟରେ ପ୍ରଶାସନିକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା ଏଥିରେ ଅଧ୍ୟକ୍ଷତା କରି ମେଳାକୁ ସରସସୁନ୍ଦର ଓ ଶୃଙ୍ଖଳିତ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ।
ଚଳିତବର୍ଷ ମାଘମେଳା ପାଇଁ ୧୮ଲକ୍ଷ ୫୨ ହଜାର ୧୦୦ ଟଙ୍କା ବ୍ୟୟ ଅଟକଳ କରାଯାଇଛି। ବ୍ୟବସାୟୀଙ୍କଠାରୁ ପ୍ରଥମ ୩ଦିନ କୌଣସି ବିଦ୍ୟୁତ୍‌ ଦେୟ ଆଦାୟ କରାଯିବ ନାହିଁ ବୋଲି ସେସୁ ପକ୍ଷରୁ କୁହାଯାଇଛି। ମେଳା ସମୟରେ ଏଲ୍‌ସିଡି ମାଧ୍ୟମରେ ଗାଦିମନ୍ଦିର ଦୃଶ୍ୟାବଳୀ ପ୍ରଦର୍ଶିତ ହେବ। ଆଇନ ଶୃଙ୍ଖଳା ପରିସ୍ଥିତି ଜଗିବାକୁ ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଯିବ। ଯାନବାହନ ନିୟନ୍ତ୍ରଣ ଏବଂ ଶୃଙ୍ଖଳା ବଜାୟ ରଖିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ଏସ୍‌ପି ଅନୁପମା ଜେମ୍‌ସ ସୂଚନା ଦେଇଛନ୍ତି। ମେଳା ପରିସରରେ ପଲିଥିନ ବ୍ୟବହାର ଉପରେ କଟକଣା ଜାରି କରାଯାଇଛି। ଯାତ୍ରୀଙ୍କୁ ନେବା ଆଣିବା କରୁଥିବା ଗାଡ଼ିଗୁଡ଼ିକ ଲାଗି ନିର୍ଦ୍ଧାରିତ ଭଡ଼ା ଧାର୍ଯ୍ୟ କରାଯିବ। ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମକୁ ନଜରରେ ରଖି ପାନୀୟଜଳ, ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିର, ମୋବାଇଲ ଟଏଲେଟ୍‌, ଗାଡି ପାର୍କିଂ, କୂଅ ବିଶୋଧନ, ପଡିଆ ମରାମତି, ଜାଳେଣି କାଠ ଯୋଗାଣ, ନିୟନ୍ତ୍ରଣ କକ୍ଷ ସ୍ଥାପନ, ଅଗ୍ନି ନିରାପତ୍ତା ବ୍ୟବସ୍ଥା, ଆଲୋକୀକରଣ ଉପରେ ଗୁରୁତ୍ୱ ଦିଆଯାଇଛି।
ଯୋରନ୍ଦା ପିଇଓ କେ. ସତ୍ୟନାରାୟଣ ଆୟବ୍ୟୟର ବିବରଣୀ ଉପସ୍ଥାପନ କରିଥିଲେ। ସରପଞ୍ଚ ପ୍ରଶାନ୍ତ ରାଉତ ସ୍ବାଗତ ଭାଷଣ ଦେଇଥିଲେ। ସତ୍ୟମହିମା ଧର୍ମଧାମ ପରିଚାଳନା ସମିତିର ସନ୍ନ୍ୟାସୀ ନିତ୍ୟାନନ୍ଦ ଦାସ, କୌପିନଧାରୀ ମହିମା ସମାଜର ରଘୁନାଥ ବାବା, ଅବିନାଶୀ ବାବା, ଅରୂପଦାସ ବାବା, ବିଶ୍ୱେଶ୍ୱରଦାସ ବାବା ଆଲୋଚନାରେ ଭାଗନେଇଥିଲେ। ଅତିରିକ୍ତ ଜିଲାପାଳ ଭବେଶ କୁମାର ନାୟକ, ଉପଜିଲାପାଳ ସାଫଲ୍ୟମଣ୍ଡିତ ପ୍ରଧାନ, ପିଡି ଡିଆରଡିଏ ନରୋତ୍ତମ ବେହେରା, ଡିଏଫ୍‌ଓ ବିମଳ ପ୍ରସନ୍ନ ଆଚାର୍ଯ୍ୟ, ସିଡିଏମ୍‌ଓ ଡା. ନିରଞ୍ଜନ ମିଶ୍ର, ବିଡିଓ ଶିବଶଙ୍କର ମିଶ୍ର, ତହସିଲଦାର ସତ୍ୟନାରାୟଣ ମିଶ୍ର, ଅତିରିକ୍ତ ତହସିଲଦାର ସୁଶାନ୍ତ ମିଶ୍ର, ବିଧାୟକଙ୍କ ପ୍ରତିନିଧି ନରୋତ୍ତମ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।