୬ ବର୍ଷ ହେବ ଗାଁରୁ ବାସନ୍ଦ ପରିବାର: ଅଭିଯୋଗସତ୍ତ୍ୱେ ପ୍ରଶାସନ ନୀରବ

ଗୋପ,୧୨।୧୨(ଡି.ଏନ.ଏ.): ଗୋପ ଥାନା ଅଧୀନ ଦେସ୍ଥଳୀ ଗ୍ରାମର ରାମଚନ୍ଦ୍ର ଦାସ (୭୨) ଜମିଜମା ବିବାଦ କାରଣକୁ ନେଇ ଗତ ଛଅ ବର୍ଷ ହେବ ସମ୍ପୂର୍ଣ୍ଣ ପରିବାରକୁ ବାସନ୍ଦ କରାଯାଇଛି। ଏ ନେଇ ଥାନାଠାରୁ ଆରମ୍ଭ କରି ଜିଲା ପ୍ରଶାସନ ପର୍ଯ୍ୟନ୍ତ ରାମଚନ୍ଦ୍ର ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ସମସ୍ତେ ନୀରବଦ୍ରଷ୍ଟା ସାଜିଛନ୍ତି। ଫଳରେ ବୃଦ୍ଧ ଦମ୍ପତି ରାମଚନ୍ଦ୍ର ଓ ତାଙ୍କ ସ୍ତ୍ରୀ ସ୍ବର୍ଣ୍ଣଲତା (୫୮) ବହୁ ଦୁର୍ଦ୍ଦିନରେ ଜୀବନ ବିତାଉଛନ୍ତି। ଦେସ୍ଥଳୀ ଗ୍ରାମର ବୟ୍ୟୋଜ୍ୟେଷ୍ଠ ବ୍ୟକ୍ତିମାନେ ଏପରି ବାସନ୍ଦକୁ ପୂର୍ବରୁ ସମାଧାନ ହୋଇଯାଇଥିବା କହିଛନ୍ତି।
ସୂଚନାଯୋଗ୍ୟ, ୨୦୧୩ରେ ସ୍ଥାନୀୟ ଏକ ମନ୍ଦିରର ଜମିଜମାକୁ ନେଇ ରାମଚନ୍ଦ୍ର ଓ ଗ୍ରାମବାସୀଙ୍କ ମଧ୍ୟରେ ବିବାଦ ଉପୁଜିଥିଲା। ଏହି ବିବାଦର ସମାଧାନ ନ ହେବାରୁ ଗ୍ରାମବାସୀ ରାମଚନ୍ଦ୍ରଙ୍କ ପରିବାରକୁ ବାସନ୍ଦ କରିବା ସହ ଗାଁରେ ହେଉଥିବା ପୂଜା ପାର୍ବଣ ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ସାମିଲ କରି ନ ଥିଲେ। ଏପରିକି ରାମଚନ୍ଦ୍ରଙ୍କର ଜମିକୁ ଗାଁର ଯେଉଁମାନେ ଚାଷ କରୁଥିଲେ ସେମାନଙ୍କୁ ମଧ୍ୟ କୌଣସି କାର୍ଯ୍ୟରେ ସାମିଲ କରାଯାଉ ନ ଥିଲା। ବାସନ୍ଦ ରାମଚନ୍ଦ୍ରଙ୍କର ତିନି ପୁଅ ଗାଁ ଛାଡ଼ି ଏବେ ବାହାରେ ରହୁଥିବାବେଳେ ବୃଦ୍ଧ ଦମ୍ପତି ଦେସ୍ଥଳୀ ଗାଁ ନିକଟ ସ୍ଥାନରେ ରହୁଛନ୍ତି। ଗତ ସପ୍ତାହରେ ନୟାହାଟ ଫାଣ୍ଡି ଅଧିକାରୀ ସନ୍ତୋଷ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଏହି ବାସନ୍ଦ ଘଟଣାର ସମାଧାନ କରାଯିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାହା ବିଫଳ ହୋଇଥିଲା। ରାମଚନ୍ଦ୍ର ଏହି ବାସନ୍ଦକୁ ନେଇ ମାନବାଧିକାର କମିଶନର, ଜିଲାପାଳ ପୁରୀ, ଜିଲା ଏସ୍‌ପି, ଗୋପ ଥାନା ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ସବୁ ଚୁପ ହୋଇରହିଯାଇଛନ୍ତି। ୨୦୧୫ରେ ତତ୍‌କାଳୀନ ଜିଲାପାଳଙ୍କ କାର୍ଯ୍ୟାଳୟ ଚିଠି ନଂ ୨୫୬୯ ରେ ତୁରନ୍ତ ଏପରି ସମସ୍ୟାକୁ ସମାଧାନ ପାଇଁ ଗୋପ ଥାନାକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ତାହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇ ନ ଥିବା ଦୁଃଖର ସହ ବୃଦ୍ଧ ରାମଚନ୍ଦ୍ର କହିଛନ୍ତି। ଏ ସମ୍ପର୍କରେ ଦେସ୍ଥଳୀ ଗ୍ରାମର ହୃଷୀକେଶ ବାରିକ, ଚଗଲି ନାୟକ କୁହନ୍ତି, ବାସନ୍ଦ ପ୍ରଥାକୁ ନେଇ ଯେଉଁ ଅଭିଯୋଗ ହୋଇଛି ତାହା ମିଥ୍ୟା ଅଟେ। ନୟାହାଟ ଫାଣ୍ଡି ଅଧିକାରୀ ସାହୁ କହୁନ୍ତି, ସମାଧାନ ପାଇଁ ଏବେ ବି ଉଦ୍ୟମ ଜାରି ରହିଥିବାବେଳେ ଖୁବ୍‌ଶୀଘ୍ର ଏହାର ସମାଧାନ ହୋଇଯିବ।