Categories: କନ୍ଧମାଳ

୬ ଆନ୍ତଃଜିଲା ଡକାୟତ ଗିରଫ

ବାଲିଗୁଡା,୧୦ା୧୦.(ଡି.ଏନ.ଏ.) – କନ୍ଧମାଳ ଜିଲା ବାଲିଗୁଡା ଥାନା କଞ୍ଜାଲଗୁ ଘାଟିରେ ବାଲିଗୁଡା ପୋଲିସ ଏକ ଡକାୟତ ଗ୍ୟାଙ୍ଗକୁ ଗିରଫ କରିବାରେ ସଫଳ ହୋଇଛି। ୬ମାସ ଧରି ଉକ୍ତ ଘାଟିରେ ଏହି ଗ୍ୟାଙ୍ଗ ଆତଙ୍କ ଖେଳାଇଥିଲେ। ସେହି ରାସ୍ତାରେ ଯାତାୟାତ କରୁଥିବା ବାଇକ ଆରୋହୀଙ୍କ ଠାରୁ ବାଇକ, ଟଙ୍କା, ସୁନା ଆଦି ମାର୍‌ପିଟ କରି ଛଡାଇ ନେଉଥିଲେ। ଏନେଇ ବାଲିଗୁଡା ଥାନାରେ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା। ଲୋକେ ମଧ୍ୟ ଭୟରେ ସମ୍ପୃକ୍ତ ରାସ୍ତାରେ ବାଇକରେ ଯାତାୟାତ କରିବାକୁ ଡରୁଥିଲେ। ଏହି ଘଟଣାରେ ପୋଲିସ ୬ଜଣ ଆନ୍ତଃଜିଲା ଡକାୟତି ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି। ସ୍ଥାନୀୟ ଲୋକେ ଏଥିରେ ପୋଲିସକୁ ସହଯୋଗ କରିଥିଲେ। ପ୍ରକାଶ ଯେ, ଚଳିତ ମାସ ୬ତାରିଖରେ ଖମନଖୋଲ ଅଞ୍ଚଳର ମାନସ କୁମାର ଡିଗାଲ ତାଙ୍କ ବାପା ଓ ଶ୍ୱଶୁର ଏକ ବାଇକରେ ଯାଉଥିବାବେଳେ କଞ୍ଜାଲଗୁ ଘାଟିରେ ଦୁର୍ବୃତ୍ତ ବାଇକକୁ ଅଟକାଇଥିଲେ। ପରେ ଭୁଜାଲି, ଛୁରୀ, ଠେଙ୍ଗା ଦେଖାଇ ବାଇକ, ଟଙ୍କା ଓ ମୋବାଇଲ ଛଡାଇ ନେଇଥିଲେ। ଏ ନେଇ ମାନସ ବାଲିଗୁଡା ଥାନାରେ ଏତଲା ଦେଇଥିଲେ। ଏହି ଖବର ପାଇ ଖମନଖୋଲ ଗ୍ରାମବାସୀ ସନ୍ଦେହରେ କେତେଜଣ ଯୁବକଙ୍କୁ ଅଟକ ରଖି ବାଲିଗୁଡା ଥାନାକୁ ଜଣାଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚତ୍ ଉକ୍ତ ଯୁବକମାନଙ୍କୁ ହେପାଜାତ୍‌କୁ ନେଇ ପଚରାଉଚରା କରିଥିଲେ। ସେମାନଙ୍କ ସୂଚନା ପ୍ରକାରେ ବୌଦ୍ଧ, ସୋନପୁର, ବଲାଙ୍ଗୀର, ଜିଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୬ଜଣଙ୍କୁ ଗିରଫ କରିବାରେ ବାଲିଗୁଡା ପୋଲିସ ସକ୍ଷମ ହୋଇଛି। ସେମାନଙ୍କ ଠାରୁ ୮ ବାଇକ ଜବତ କରିବା ସହ ଗୋଟିଏ ଭୁଜାଲି, ଦୁଇଟି ଛୁରୀ, ଦୁଇଟି ଠେଙ୍ଗା, ୪ ମୋବଇଲ ଜବତ ହୋଇଛି। ଅଭିଯୁକ୍ତ ୬ଜଣ ହେଲେ ପୁରୁଷୋତ୍ତମ ରଣା, ନବୀନ ଓରଫ ନରେନ୍ଦ୍ର ଗୁରୁ, ସୂର୍ଯ୍ୟକାନ୍ତ ମାଝୀ, ସଞ୍ଜୁ ଓରଫ ସଞ୍ଜୀବ ରଣା, ଶନ୍ତୁ ମହାଲିଙ୍ଗ ଓ ଶନ୍ତୁ ବାରିକ। ବାଲିଗୁଡା ପୋଲିସ ନଂ.୧୩୨/୧୯ରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି। ପୂର୍ବରୁ ବାଲିଗୁଡା ଥାନାରେ ହୋଇଥିବା ନଂ.୫୯ ଓ ୧୦୦ର ଡକାୟତି କେଶରେ ମଧ୍ୟ ଏମାନଙ୍କ ସମ୍ପୃକ୍ତି ଥିବା ସ୍ବୀକାର କରିଛନ୍ତି ବୋଲି ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା ସୂଚନା ଦେଇଛନ୍ତି।