୬୨୦୦ ଫୁଟ ଉଚ୍ଚରେ ଚେତାଶୂନ୍ୟ ହୋଇପଡ଼ିଲେ ଟ୍ରେନର: ପ୍ରଥମ ଥର ବିମାନ ଅବତରଣ କଲେ ଛାତ୍ର

କାନବେରା,୩।୯: ଅଷ୍ଟ୍ରେଲିଆରେ ବିମାନ ଉଡାଣର ପ୍ରଶିକ୍ଷଣ ଦିଆଯାଉଥିବା ସମୟରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ମଝି ଆକାଶରେ ଜଣେ ଛାତ୍ରଙ୍କୁ ଏକ ବଡ଼ ସମସ୍ୟାର ସାମ୍ନା କରିବାକୁ ପଡ଼ିଛି। କାରଣ ପ୍ରଶିକ୍ଷଣ ଦେଉଥିବା ଟ୍ରେନର ୬୨୦୦ଫୁଟ ଉପରେ ଚେତାଶୂନ୍ୟ ହୋଇଯାଇଥିଲେ। ଏହାପରେ ଉକ୍ତ ଛାତ୍ର ଜଣଙ୍କ ପ୍ରଥମ ଥର ପାଇଁ ବିମାନକୁ ସୁରକ୍ଷିତ ଭାବେ ଅବତରଣ କରିଥିଲେ। ଏହି ଘଟଣା ପରେ ଛାତ୍ର ଜଣଙ୍କ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ସୂଚନାଯୋଗ୍ୟ, ଅଷ୍ଟ୍ରେଲିଆର ଜେଣ୍ଡାକୋଟ ଏୟାରପୋର୍ଟରୁ ସେସନା ବିମାନରେ ଟ୍ରେନର ରବୋର୍ଟ ମୋଲାର୍ଡ ୨୯ବର୍ଷୀୟ ଛାତ୍ର ମେକ୍ସ ସିଲଭେଷ୍ଟରଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ଉଡାଣ ଭରିଥିଲେ। ହେଲେ ଉଡାଣ ଭରିବାର କିଛି ସମୟ ପରେ ପ୍ରାୟ ୬୨୦୦ ଫୁଟ ଉଚ୍ଚରେ ଟ୍ରେନର ରୋବର୍ଟ ଚେତାଶୂନ୍ୟ ହୋଇପଡ଼ିଥିଲେ। ଏହାପରେ ଛାତ୍ର ଜଣଙ୍କ ପେନିକ ବଟନକୁ କ୍ଲିକ୍‌ କରି ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲରରୁ ସାହାଯ୍ୟ ମାଗିଥିଲେ। ସେହି ସମୟରେ ଏଟିସିଙ୍କ ନିର୍ଦ୍ଦେଶ ଅନୁଯାୟୀ ମେକ୍ସ ସିଲଭେଷ୍ଟର ୨୦ ମିନିଟ୍‌ରେ ବିମାନକୁ ସୁରକ୍ଷିତ ଭାବେ ଅବତରଣ କରିଥିଲେ।

Share