୬ଷ୍ଠ ଦିବସରେ ମା’ ଭଦ୍ରକାଳୀଙ୍କ ସରସ୍ବତୀ ବେଶ

ଭଦ୍ରକ ଅଫିସ,୧।୧୧: ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ସପ୍ତମାତୃକା ବେଶର ୬ଷ୍ଠ ଦିବସରେ ଶୁକ୍ରବାର ମହାସରସ୍ବତୀ ବେଶରେ ପୂଜା ପାଉଛନ୍ତି। ସକାଳୁ ମା’ଙ୍କୁ ଏହି ବେଶରେ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି। ଭକ୍ତମାନେ ଧାଡ଼ି ବାନ୍ଧି ଧୂପ-ଦୀପ ଦେଇ ମା’ଙ୍କର ଆଶୀର୍ବାଦ ଭିକ୍ଷା କରିଛନ୍ତି। ମହାସରସ୍ବତୀ ବେଶରେ ମା’ ଶ୍ୱେତ ବସ୍ତ୍ର ପରିଧାନ କରିଥିବାବେଳେ ମୁଖମଣ୍ଡଳ ମଧ୍ୟ ଶ୍ୱେତ ବର୍ଣ୍ଣ ରହିଛି। ପଦ୍ମାସନରେ ମା’ ବିରାଜମାନ କରିଥିବା ବେଳେ ହଂସ ବାହନ ରହିଛି। ହସ୍ତଯୁଗଳରେ ବୀଣା ଧାରଣ କରିଛନ୍ତି। ତୃତୀୟ ହସ୍ତରେ ଜପାମାଳି ଓ ଚତୁର୍ଥ ହସ୍ତରେ ପୁସ୍ତକ ଧାରଣ କରିଛନ୍ତି। ସୁନା ରୁପା ଅଳଙ୍କାରରେ ଚତୁଦ୍ଧାମୂର୍ତ୍ତିରେ ପ୍ରକଟ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଶନିବାର ସପ୍ତମାତୃକା ବେଶର ଅନ୍ତିମ ଦିନରେ ମା’ ମହାଲକ୍ଷ୍ମୀ ବେଶରେ ପୂଜାପାଇବେ। ମା’ଙ୍କର ଏହି ବେଶରେ ବିଶ୍ୱଶାନ୍ତି ମହାଯଜ୍ଞର ପୂର୍ଣ୍ଣାହୁତି ହେବ।