Categories: ଜାତୀୟ

୫ ଲଶ୍କର ଆତଙ୍କବାଦୀ ଗିରଫ

ଶ୍ରୀନଗର,୧୭।୫: ଜମ୍ମୁ-କଶ୍ମୀର ପୋଲିସ ଶନିବାର ବଡ୍‌ଗାମସ୍ଥିତ ଏକ ଆଡ୍ଡାରୁ ଲଶ୍କର-ଇ-ତୋଇବାର ୫ ଆତଙ୍କବାଦୀଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଆତଙ୍କବାଦୀମାନେ ଲୁଚି ରହିଥିବାର ଗୋଇନ୍ଦା ସୂଚନା ପାଇ ବଡ୍‌ଗାମ ପୋଲିସ, ୫୩ ଆର୍‌ଆର୍‌ ଏବଂ ସିଆର୍‌ପିଏଫ୍‌ର ୧୫୩ ବାଟାଲିୟନ ପକ୍ଷରୁ ଚଢ଼ଉ କରାଯାଇଥିଲା। ସେଠାରୁ ଆତଙ୍କବାଦୀ ୟୁନିସ ମୀର୍‌, ଅସଲାମ ଶେଖ, ପରଓ୍ବେଜ ଶେଖ୍‌ ଓ ରେହମନ ଲୋନେ ଗିରଫ ହୋଇଥିବାବେଳେ ଖାନ୍‌ସାଇବ ଥାନା ଅନ୍ତର୍ଗତ ଅରିଜଲ ଗ୍ରାମରେ ତଲାସି ଅଭିଯାନ ବେଳେ ଏଲ୍‌ଇଟିର ସହଯୋଗୀ ଆତଙ୍କବାଦୀ ଜହୁର ଓ୍ବାନି ଗିରଫ ହୋଇଥିଲେ। ସୁରକ୍ଷା ବଳ ସେମାନଙ୍କଠାରୁ ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ଜବତ କରିଛି।
ଅନ୍ୟପକ୍ଷରେ କୁଲ୍‌ଗାମ୍‌ ଜିଲାରେ ସୁରକ୍ଷା ବଳ ଉପରେ ଆତଙ୍କବାଦୀ ଆକ୍ରମଣ କରିବାରୁ ଜଣେ ହେଡ୍‌ କନ୍‌ଷ୍ଟେବଳ ଶହୀଦ ହୋଇଛନ୍ତି। କୁଲ୍‌ଗାମ ଜିଲାର ଫ୍ରିସଲସ୍ଥିତ ମେନ୍‌ ଚୌକ୍‌ଠାରେ ନିୟୋଜିତ ଥିବା ପୋଲିସ ଓ ସିଆର୍‌ପିଏଫ୍‌ ପାର୍ଟି ଉପରେ ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ। ଗୁଳିମାଡ଼ରେ ଗୁରୁତର ଆହତ ହେଡ୍‌ କନ୍‌ଷ୍ଟେବଳ ମହମ୍ମଦ ଅମିନ୍‌ଙ୍କୁ ହସ୍ପିଟାଲ ନେବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Share