୫ ବସ୍‌ରେ ଆସି ଦିଗପହଣ୍ଡିରେ ପହଞ୍ଚିଲେ ୩୦୪ ପ୍ରବାସୀ ଓଡ଼ିଆ

ଦିଗପହଣ୍ଡି,୪ା୫(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକକୁ ରବିବାର ରାତିରେ ସୁରଟ ଓ କେରଳରୁ ସମୁଦାୟ ୩୦୪ ଜଣ ପ୍ରବାସୀ ଓଡ଼ିଆ ଆସି ପହଞ୍ଚିଛନ୍ତି। ସେମାନଙ୍କ ମଧ୍ୟରେ ୭ ମହିଳାଙ୍କ ସମେତ ୨ ଶିଶୁ ଥିବା ଜଣାପଡ଼ିଛି। ଏମାନଙ୍କୁ ବ୍ଲକ ଅଧୀନ ସିଦ୍ଧେଶ୍ୱର ଆଦର୍ଶ ବିଦ୍ୟାଳୟ, ସିଦ୍ଧିଖଣ୍ଡୀ ପ୍ରାଥମିକ ବିଦ୍ୟାଳୟ ଓ ଗୋକର୍ଣ୍ଣପୁର ଆଦିବାସୀ ହଷ୍ଟେଲର କ୍ୱାରାଣ୍ଟାଇନ ସେଣ୍ଟରରେ ରଖାଯାଇଥିବା ବିଡିଓ ହଳଧର ଶବର କହିଛନ୍ତି। ସିଦ୍ଧେଶ୍ୱର ଆଦର୍ଶ ବିଦ୍ୟାଳୟରେ ୨୩୨ ଜଣ, ଗୋକର୍ଣ୍ଣପୁର ହଷ୍ଟେଲରେ ୬୦ ଏବଂ ଟ୍ରେନ ଯୋଗେ କେରଳ ଫେରନ୍ତା ୧୨ ଜଣଙ୍କୁ ସିଦ୍ଧି ଖଣ୍ତୀ ପ୍ରାଥମିକ ବିଦ୍ୟାଳୟ କ୍ୱାରାଣ୍ଟାଇନ ସେଣ୍ଟରରେ ରଖାଯାଇଛି। ରବିବାର ସକାଳେ ଟ୍ରେନ୍‌ ଯୋଗେ କେରଳରୁ ଆସିଥିବା ୧୨ ଶ୍ରମିକ ସ୍ବତନ୍ତ୍ର ବସ୍‌ ଯୋଗେ ପହଞ୍ଚିବା ପରେ ସେମାନଙ୍କୁ ସିଦ୍ଧିଖଣ୍ଡୀ ଗ୍ରାମର ପ୍ରାଥମିକ ବିଦ୍ୟାଳୟକୁ ନିଆଯାଇଥିଲା। ପରେ ଅପରାହ୍ନରେ ୪ଟି ବସ୍‌ ଯୋଗେ ଆସିଥିବା ୨୩୨ ଜଣଙ୍କୁ ସିଦ୍ଧେଶ୍ୱର ଆଦର୍ଶ ବିଦ୍ୟାଳୟକୁ ଅଣାଯାଇଥିଲା। ପରେ ରାତି ପ୍ରାୟ ସାଢ଼େ ୮ଟାରେ ଯାତ୍ରୀବାହୀ ବସ୍‌ରେ ଆସିଥିବା ୬୦ ଜଣଙ୍କୁ ଗୋକର୍ଣ୍ଣପୁର ଆଦିବାସୀ ହଷ୍ଟେଲରେ ରଖାଯାଇଥିବା ଜଣାପଡ଼ିଛି। ଦିଗପହଣ୍ଡି ତହସିଲଦାର ଅଦୈତ କୁମାର ସ୍ବାଇଁ, ଆଇଆଇସି ବସନ୍ତ କୁମାର ସେଠୀ, କୋଭିଡ୍‌ – ୧୯ କରୋନା ନିୟନ୍ତ୍ରଣ ନୋଡାଲ ଅଧିକାରୀ ଉମେଶ ସେଠୀଙ୍କ ସମେତ ଏନ୍‌ଫୋର୍ସ ମେଣ୍ଟ ସ୍କ୍ବାଡ୍‌ ବିଭିନ୍ନ କ୍ୱାରାଣ୍ଟାଇନ ସେଣ୍ଟରଗୁଡ଼ିକୁ ପରିଦର୍ଶନ କରି ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ତଦାରଖ କରିଛନ୍ତି। ପ୍ରବାସୀ ଶ୍ରମିକମାନଙ୍କୁ ପଞ୍ଚାୟତ ପକ୍ଷରୁ ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଓ ରନ୍ଧାଖାଦ୍ୟ ଦିଆଯାଇଥିବା ଜଣାପଡ଼ିଛି।