୫ ବର୍ଷ ବୟସ୍କା ବାଳିକା କୁକିଜ୍‌ ବିକ୍ରି କରି ଶହେ ସହପାଠୀଙ୍କ ମଧ୍ୟାହ୍ନ ଭୋଜନ ଫି କଲେ ସଂଗ୍ରହ

କାଲିଫର୍ନିଆ,୧୯।୧୨: କୁହାଯାଏ ଛୋଟପିଲାଙ୍କ ମଧ୍ୟରେ ହିଁ ଭଗବାନ ବାସ କରନ୍ତି। ସେମାନେ ନିଷ୍ପାପ। ତାଙ୍କ ମନରେ କାହା ପ୍ରତି ହିଂସା ଅବା ଦ୍ୱେଷ ଭାବ ନ ଥାଏ। ସେମାନେ ଅନ୍ୟର ଦୁଃଖରେ ଦୁଃଖୀ ହୋଇଥାନ୍ତି। ଏପରି ଏକ ଘଟଣା ଆମେରିକାର କାଲିଫର୍ନିଆରେ ଘଟିଛି। ୫ ବର୍ଷ ବୟସ୍କା ବାଳିକା କ୍ୟାଥଲିନ୍‌ ହାର୍ଡି ରାସ୍ତାକଡ଼ରେ ଷ୍ଟଲ୍‌ରେ କୁକିଜ୍‌ ବିକ୍ରି କରି ସ୍କୁଲରେ ମଧ୍ୟାହ୍ନ ଭୋଜନ ଫି ଦେଇପାରୁ ନ ଥିବା ଶହେ ଜଣ ସହପାଠୀଙ୍କ ଫି ଦେଇଛନ୍ତି। ସେ ୧୨୩ ଜଣ ସହପାଠୀଙ୍କ ମଧ୍ୟାହ୍ନ ଭୋଜନ ଫି ଦେବାକୁ ଚେଷ୍ଟା କରୁଥିଲେ। ତେବେ ଶହେ ଜଣଙ୍କର ଫି ସଂଗ୍ରହ କରି ପାରିଛନ୍ତି। କୁକିଜ୍‌ ବିକ୍ରି କରି ସେ ୮୦ ଡଲାର ସଂଗ୍ରହ କରିଛନ୍ତି। ସହପାଠୀମାନଙ୍କର ଆର୍ଥିକ ସ୍ଥିତି ସ୍ବଚ୍ଛଳ ନ ଥିବାରୁ ସେମାନଙ୍କ ଅଭିଭାବକ ମଧ୍ୟାହ୍ନ ଭୋଜନ ଫି ଦାଖଲ କରି ପାରି ନ ଥିବା କୁହାଯାଉଛି। ଏନେଇ କ୍ୟାଥଲିନ୍‌ ତାଙ୍କ ମାଙ୍କର ସହାୟତା ଲୋଡ଼ିଥିଲେ।

Share