୫ ପର୍ଯ୍ୟନ୍ତ ବର୍ଷା : ଆଜି ୫ ଜିଲାକୁ ଅରେଞ୍ଜ, ୧୫କୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୨ା୯(ବ୍ୟୁରୋ) : ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଥିବାବେଳେ ଆଜି ଆଉଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଫଳରେ ବର୍ଷା ପରିମାଣ ବଢ଼ିବା ସହ ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ। ସୋମବାର ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ କନ୍ଧମାଳ ଜିଲାକୁ ଅରେଞ୍ଜ ୱାର୍ନିଂ ଜାରି କରାଯାଇଛି। ଏସବୁ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଏଥିସହିତ ବଲାଙ୍ଗୀର, ବୌଦ୍ଧ, ସମ୍ବଲପୁର, ସୋନପୁର, ବରଗଡ଼, ଢେଙ୍କାନାଳ, ଅନୁଗୋଳ, କଟକ, ମୟୂରଭଞ୍ଜ, କେନ୍ଦୁଝର, ରାୟଗଡ଼ା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଖୋର୍ଦ୍ଧା ଆଦି ୧୫ ଜିଲାକୁ ୟେଲୋ ୱାର୍ନିଂ ଦିଆଯାଇଛି। ଏସବୁ ଜିଲାରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।
୩ ତାରିଖ ପାଇଁ ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ବରଗଡ଼, ସମ୍ବଲପୁର, ଢେଙ୍କାନାଳ, ମୟୂରଭଞ୍ଜ, ଦେବଗଡ଼, ସୋନପୁର, ବଲାଙ୍ଗୀର, କୋରାପୁଟ ଓ ନବରଙ୍ଗପୁର ଆଦି ୧୨ ଜିଲାକୁ ପାଣିପାଗ ବିଭାଗ ସତର୍କ କରିଛି। ତେବେ ଏସବୁ ଜିଲା ମଧ୍ୟରୁ ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ବରଗଡ଼, ସମ୍ବଲପୁର ଆଦି ୫ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାକୁ ଥିବାବେଳେ ବାକି ଜିଲାଗୁଡ଼ିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ସେହିପରି ୪ ତାରିଖରେ ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା, ସୋନପୁର, ସୁନ୍ଦରଗଡ଼, କେନ୍ଦୁଝର ଓ କୋରାପୁଟ ଆଦି ୭ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ୫ ତାରିଖ ଦିନ ନୂଆପଡ଼ା, ନବରଙ୍ଗପୁର, କଳାହାଣ୍ଡି, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଆଦି ଜିଲାରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ତେବେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ଉପରେ କଟକଣା ଜାରି ହୋଇଛି। ଆସନ୍ତା ୨ ଓ ୩ ତାରିଖ ଦିନ ସମୁଦ୍ର ଭିତରକୁ ଆଦୌ ନ ଯିବା ପାଇଁ ସତର୍କ କରାଯାଇଛି। ସେପଟେ ସୋମବାର କୃଷକଙ୍କ ପାଇଁ ମଧ୍ୟ ପାଣିପାଗ କେନ୍ଦ୍ର ସତର୍କ ସୂଚନା ଦେଇଛି। ବିଭିନ୍ନ ଜିଲାରେ ବଜ୍ରପାତ ହେବାର ସମ୍ଭାବନା ରହିଛି। ତେଣୁ ଏହି ସମୟରେ ବିଲକୁ ନ ଯିବା ପାଇଁ କୁହାଯାଇଛି। ସେହିପରି ନବରଙ୍ଗପୁର, ମାଲକାନଗିରି, କୋରାପୁଟ, ରାୟଗଡ଼ା, କଳାହାଣ୍ଡି, ଗଜପତି, ଗଞ୍ଜାମ, କନ୍ଧମାଳ, ପୁରୀ ଓ ମୟୂରଭଞ୍ଜ ଜିଲାରେ ପ୍ରବଳ ବର୍ଷା ହେବାର ଥିବାରୁ ସତର୍କ ରହିବାକୁ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।