୫ ଦୋକାନ ସିଲ୍‌

ଅନୁଗୋଳ ଅଫିସ, ୧୫।୪ – କରୋନା ମୁକାବିଲା ପାଇଁ ଅନୁଗୋଳ ଜିଲା ପ୍ରଶାସନ ସହ ପୋଲିସ ଦିନ ରାତି କାମ କରୁଛି। ଲୋକମାନଙ୍କୁ ଘରେ ରହିବା ପାଇଁ ସଚେତନ କରାଉଛି। କିନ୍ତୁ ଅନେକ ସମୟରେ ଅମାନିଆ ଲୋକମାନେ ଅଯଥାରେ ରାସ୍ତାକୁ ଆସି ବୁଲାବୁଲି କରୁଥିବା ବେଳେ ଏବେ କଟକଣାକୁ ଉଲ୍ଲଂଘନ କରିଛନ୍ତି କେତୋଟି ଗ୍ରସେରୀ ଦୋକାନୀ। ପ୍ରଶାସନର ନିର୍ଦ୍ଦେଶ ନ ମାନି ସେମାନେ ଦୋକାନ ଖୋଲା ରଖିବା ଓ ସାମାଜିକ ଦୂରତ୍ୱ ବଜାୟ ରଖୁ ନ ଥିବାରୁ ମଙ୍ଗଳବାର ୫ଟି ଦୋକାନକୁ ସିଲ୍‌ କରାଯାଇଥିବା ସୂଚନା ମିଳିଛି।
କେତେଜଣ ଦୋକାନୀ କଟକଣା ଉଲ୍ଲଂଘନ କରି ବ୍ୟବସାୟ ଚଳାଇଥିବା ନେଇ ପୂର୍ବରୁ ଅଭିଯୋଗ ଆସିଥିଲା। ପୋଲିସ ସମ୍ପୃକ୍ତ ବ୍ୟବସାୟୀମାନଙ୍କୁ ତାଗିଦ କରିଥିଲା। ଏପରି କି ଦୋକାନରୁ ନିକିତି ଓ ବଟକରା ମଧ୍ୟ ଜବତ କରିନେଇଥିଲା। ତଥାପି କଟକଣାକୁ ବ୍ୟବସାୟୀମାନେ ମାନୁ ନ ଥିଲେ। ସୋମବାର ସନ୍ଧ୍ୟାରେ ପୋଲିସ ଏପରି କେତୋଟି ଦୋକାନର ଫଟୋ ଉତ୍ତୋଳନ କରିଥିଲା। ଗହଳି କରିଥିବା ଲୋକଙ୍କୁ ଘଉଡ଼ାଇଥିଲା। ମଙ୍ଗଳବାର ମାଜିଷ୍ଟ୍ରେଟ୍‌ଙ୍କୁ ଧରି ପୋଲିସ କୁମୁରିସିଂହାର ୩ଟି ଓ କୁରୁଡ଼ୁଲୁ ଅଞ୍ଚଳର ୨ଟି ଦୋକାନକୁ ଜଉମୁଦା ଦେଇ ସିଲ୍‌ କରିଥିବା ଅନୁଗୋଳ ଥାନା ଅଧିକାରୀ ରମେଶ ଚନ୍ଦ୍ର ବିଶୋଇ ସୂଚନା ଦେଇଛନ୍ତି। ଏସ୍‌ଆଇ ବିପ୍ଳବ ସାହୁ, ସତ୍ୟ ରଞ୍ଜନ ଲେଙ୍କା, ଜମୁନା ମାରାଣ୍ଡି, ଏଏସ୍‌ଆଇ ବୁଦ୍ଧିମାନ ସେଠୀ, ଜୟଚନ୍ଦ୍ର ସାହୁ ପ୍ରମୁଖଙ୍କ ନେତୃତ୍ୱରେ ଗୋଟିଏ ଲେଖାଏ ଟିମ୍‌ ମାଜିଷ୍ଟ୍ରେଟଙ୍କୁ ଧରି ଦୋକାନ ସିଲ୍‌ କରିଥିଲା।